ଅସଲ ରୂପ ଦେଖାଇଛି ତାଲିବାନ, ମହିଳାଙ୍କୁ ପାଠ ପଢାଇବେନି ପୁରୁଷ ଅଧ୍ୟାପକ

କାବୁଲ : ଆଫଗାନିସ୍ତାନରେ ମହିଳାଙ୍କ ଅଧିକାରକୁ ସୁରକ୍ଷା ଦେବା ପାଇଁ ପ୍ରତିଶ୍ରୁତି ଦେଇଥିବା ତାଲିବାନ ତାର ଅସଲ ରୂପ ଦେଖାଇଛି । ତାଲିବାନ ପ୍ରଥମ ଫତୱା ଜାରି କରି ସହ ଶିକ୍ଷା ବ୍ୟବସ୍ଥା ବନ୍ଦ କରାଯାଇଥିବା ଘୋଷଣା କରିଛି । ପ୍ରଥମ ଫତୱାରେ ତାଲିବାନ ଶିକ୍ଷା ବ୍ୟବସ୍ଥା ଉପରେ ଶକ୍ତ ପ୍ରହାର କରିଛି । ହେରତ ପ୍ରଦେଶରୁ ପ୍ରଥମେ ଏହି ବ୍ୟବସ୍ଥା ଲାଗୁ ହେବ ଏବଂ ପରେ ସମଗ୍ର ଦେଶ ଏହାକୁ କାର୍ଯ୍ୟକାରୀ କରିବ ବୋଲି ତାଲିବାନ କହିଛି । ଉଭୟ ସରକାରୀ ଏବଂ ଘରୋଇ ବିଶ୍ୱ ବିଦ୍ୟାଳୟରେ ସହ ଶିକ୍ଷାକୁ ନିଷିଦ୍ଧ କରାଯାଇଛି । ପୁଅ ଝିଅ ମିଳିତ ଭାବେ ଶିକ୍ଷା ଗ୍ରହଣ କରିବା ହିଁ ସମାଜରେ ସବୁ ଅନର୍ଥର ମୂଳ କାରଣ ବୋଲି ତାଲିବାନ କହିଛି । ତାଲିବାନ ନେତା, ବିଶ୍ୱବିଦ୍ୟାଳୟ ପ୍ରଫେସର ଓ ବିଭିନ୍ନ ଘରୋଇ ଶିକ୍ଷା ଅନୁଷ୍ଠାନ ମାଲିକଙ୍କ ମଧ୍ୟରେ ବୈଠକ ହେବା ପରେ ଏହି ନିଷ୍ପତ୍ତି ନିଆଯାଇଛି । ଗତ ସପ୍ତାହରେ ତାଲିବାନ ଆଫଗାନିସ୍ତାନକୁ ଅକ୍ତିଆର କରି ନେବା ପରେ ପ୍ରଥମ ଫତୱା ଜାରି କରିବାରୁ ଲୋକେ ଆତଙ୍କିତ ହୋଇପଡ଼ିଛନ୍ତି । ବ୍ୟାପକ କଟକଣା ଭିତରେ କେବଳ ମହିଳା ଅଧ୍ୟାପକମାନେ ହିଁ ଛାତ୍ରୀଙ୍କୁ ପଢ଼ାଇବେ । କୌଣସି ପୁରୁଷ ଅଧ୍ୟାପକ ମହିଳାଙ୍କ ପାଠ ପଢ଼ାଇପାରିବେ ନାହିଁ ବୋଲି ମୁଲ୍ଲା ଫରିଦ କହିଛନ୍ତି ।
Powered by Froala Editor