ଦେଶ ଛାଡ଼ିବାକୁ ଧସ୍ତାଧସ୍ତି, କାବୁଲ ବିମାନବନ୍ଦରରେ ୭ ମୃତ
କାବୁଲ ବିମାନବନ୍ଦର ନିକଟରେ ପରସ୍ପର ସହ ଧସ୍ତାଧସ୍ତି ହେବାରୁ ୭ଜଣଙ୍କ ମୃତ୍ୟୁ ହୋଇଛି । ତାଲିବାନ କାବୁଲ ଉପରେ କବଜା କରିବା ପରଠାରୁ ବିମାନବନ୍ଦରରେ ବହୁ ସଂଖ୍ୟକ ଲୋକଙ୍କ ଭିଡ ଜମିଥିଲା। ଦେଶ ଛାଡି ଚାଲିଯିବାକୁ ଅନେକ ଲୋକ ଚେଷ୍ଟା କରିଥିଲେ। କିଛି ଲୋକ ବିମାନରେ ଓହଳି ଚାଲିଯାଇଥିଲେ। ଏଥିରେ କିଛି ନାଗରିକଙ୍କ ମୃତ୍ୟୁ ହୋଇଥିଲା। ତେବେ କେତେଜଣଙ୍କ ମୃତ୍ୟୁ ହୋଇଥିଲା ତାହା ଏଯାଏଁ ସ୍ପଷ୍ଟ ହୋଇନାହିଁ।
ବ୍ରିଟେନ ସେନା ତରଫରୁ ରବିବାର ଦିନ ଜାରି ବୟାନ ଅନୁସାରେ ଅନ୍ତରାଷ୍ଟ୍ରୀୟ ବିମାନବନ୍ଦରରେ ଦୌଡ଼ାଦୌଡ଼ିରେ ୭ ଆଫଗାନ ନାଗରିକ ପ୍ରାଣ ହରାଇଛନ୍ତି। ସେନା କହିଛି ଯେ, ଦେଶ ଛାଡି ପଳାୟନ କରୁଥିବା ଲୋକେଙ୍କ ଜୀବନ ପ୍ରତି ଏବେ ବି ବିପଦ ରହିଛି। ବ୍ରିଟେନର ପ୍ରତିରକ୍ଷା ମନ୍ତ୍ରାଳୟ ବୟାନ ଜାରି କରି କହିଛି ଯେ ବିମାନବନ୍ଦରରେ ଚ୍ୟାଲେଞ୍ଜିଙ୍ଗ ସ୍ଥିତି ରହିଛି। କିନ୍ତୁ ମନ୍ତ୍ରାଳୟ ଲୋକଙ୍କୁ ସୁରକ୍ଷିତ ବାହାର କରିବାକୁ ସବୁ ସମ୍ଭାବ୍ୟ ଚେଷ୍ଟା କରୁଛି।
ଏପଟେ ବିମାନବନ୍ଦରରେ ଆମେରିକା ତରଫରୁ ମଧ୍ୟ କାର୍ଯ୍ୟକଳାପରେ ପରିବର୍ତ୍ତନ ହୋଇଛି। ଗତ ଶନିବାରଠୁ ଆମେରିକା ଦୂତାବାସ ନୂଆ ସୁରକ୍ଷା ନିର୍ଦ୍ଦେଶ ଜାରି କରିଥିଲା। ଆମେରିକା ସରକାରଙ୍କ ବିନା ନିର୍ଦ୍ଦେଶରେ କାବୁଲ ବିମାନବନ୍ଦର ଯାଏଁ ଯାତ୍ରା ନ କରିବାକୁ ନାଗରିକଙ୍କୁ କୁହାଯାଇଥିଲା।
ଉଲ୍ଲେଖଯୋଗ୍ୟ, ଆଫଗାନିସ୍ତାନ ତାଲିବାନ ଦଖଲକୁ ଯିବା ପରେ ଏବେ ସେଠାରେ ରହୁଥିବା ଲୋକେ ଅନ୍ୟ ଦେଶକୁ ଯିବା ଆରମ୍ଭ କରିଛନ୍ତି । ବିଭିନ୍ନ ଦେଶ ପକ୍ଷରୁ ଏବେ ସ୍ଥାନାନ୍ତର ପ୍ରକ୍ରିୟା ଆରମ୍ଭ ହୋଇଛି । ବର୍ତ୍ତମାନ ସୁଦ୍ଧା ୨୫୦୦ ଆମେରିକୀୟଙ୍କ ସମେତ ୧୭,୦୦୦ ଲୋକଙ୍କୁ ସ୍ଥାନାନ୍ତର କରିଛି ଆମେରିକା। ଏହା ସହ ଭାରତ ମଧ୍ୟ ସ୍ଥାନାନ୍ତର ପ୍ରକ୍ରିୟା ଜାରି ରଖିଛି ।
Powered by Froala Editor