୩ଟି ନିମ୍ବ ପତର ଚୋବାଇଲେ ଖୋଲୁଛି ବିଶ୍ୱବିଦ୍ୟାଳୟ ଫାଟକ, ଜାଣନ୍ତୁ କୋଉଁଠି

ବିଳାସପୁର : ଛତିଶଗଡ଼ର ଏକ ବିଶ୍ୱବିଦ୍ୟାଳୟରେ ଅଜବ ନିୟମ ମାନିବାକୁ ପଡୁଛି । କରୋନା ସଂକ୍ରମଣ ବୃଦ୍ଧି ପାଉଥିବାରୁ ଅଟଳ ବିହାରୀ ବାଜପେୟୀ ବିଶ୍ୱବିଦ୍ୟାଳୟର ଏକ ଅଜବ ନିୟମ ଏବେ ବେଶ ଚର୍ଚ୍ଚିତ ହୋଇଛି । କୁଳପତିଙ୍କୁ ଯେଉଁମାନେ ଭେଟିବାକୁ ଆସୁଛନ୍ତି ସେମାନଙ୍କୁ ପ୍ରଥମେ ୩ଟି ନିମ୍ବ ପତର ଚୋବାଇବାକୁ କୁହାଯାଉଛି । ନିମ୍ବ ପତର ଚୋବାଇବା ପରେ ହିଁ ତାଙ୍କୁ କୁଳପତିଙ୍କୁ ଭେଟିବାକୁ ଅନୁମତି ମିଳୁଛି ।
ବିଳାସପୁରରେ ଥିବା ଏହି ବିଶ୍ୱବିଦ୍ୟାଳୟର କୁଳପତି ଅଫିସ ବାହାରେ ନିମ୍ବ ପତ୍ର ରଖାଯାଇଛି । ବିଶ୍ୱବିଦ୍ୟାଳୟର କୁଳପତି ପ୍ରଫେସର ଅରୁଣ ଦିବାକର କରୋନାରୁ ସୁରକ୍ଷା ପାଇଁ ଆୟୂର୍ବେଦିକ ପଦ୍ଧତି ଆପଣାଇଛନ୍ତି । ତାଙ୍କୁ ଯେଉଁମାନେ ଭେଟିବାକୁ ଆସୁଛନ୍ତି ସେମାନଙ୍କୁ ତିନୋଟି ନିମ୍ବ ପତ୍ର ଦିଆଯାଉଛି । ସୁରକ୍ଷାକର୍ମୀମାନେ ଅତିଥିଙ୍କୁ ଏବିଷୟରେ ପ୍ରଥମେ ଅବଗତ କରାଉଛନ୍ତି । ଏହାପରେ ଅତିଥିମାନେ କିଛି ସମୟ ନିମ୍ବ ପତର ଚୋବାଉଛନ୍ତି । ନିମ୍ବପତ୍ରର ବହୁ ଔଷଧିୟ ଗୁଣ ରହିଛି । ଏହା ବିଷାକ୍ତ ତତ୍ୱ ଓ କୀଟାଣୁଙ୍କ ସହ ଲଢ଼ିଥାଏ ବୋଲି କୁଳପତି କହିଛନ୍ତି ।