ଇତିହାସରେ ଜାଭଲିନର ସାମରିକ ବ୍ୟବହାର ସମ୍ପର୍କରେ ଜାଣନ୍ତୁ...

ଭାରତୀୟ କ୍ରୀଡ଼ାବିତ ନୀରଜ ଚୋପ୍ରା ଟୋକିଓ ଅଲିମ୍ପିକ୍ସରେ ଜାଭଲିନ ଥ୍ରୋରେ ସ୍ୱର୍ଣ୍ଣ ପଦକ ଜିଣି ଇତିହାସ ସୃଷ୍ଟି କରିଛନ୍ତି । ଏହି ଅବସରରେ ଇତିହାସରେ ଜାଭଲିନର ସାମରିକ ବ୍ୟବହାର ସମ୍ପର୍କରେ ଜାଣିବା ହେଉ । ଆଜି କେବଳ କ୍ରୀଡ଼ା କ୍ଷେତ୍ରରେ ଜାଭଲିନର ପ୍ରୟୋଗ ସୀମିତ, କିନ୍ତୁ ପୂର୍ବରୁ ଯୁଦ୍ଧରେ ଏହା ଏକ ଗୁରୁତ୍ୱପୂର୍ଣ୍ଣ ଅସ୍ତ୍ରର ଭୂମିକା ଗ୍ରହଣ କରୁଥିଲା । ପ୍ରାୟ ଚାରି ଲକ୍ଷ ବର୍ଷ ତଳେ ବର୍ଚ୍ଛା ବ୍ୟବହାର ହେଉଥିବାର ପ୍ରମାଣ ମିଳିଛି । ପ୍ରଥମେ ସେଗୁଡ଼ିକ ସମ୍ପୂର୍ଣ୍ଣ ଭାବେ କାଠରେ ତିଆରି କରାଯାଉଥିଲା । କ୍ରମେ କାଠ ଅଗରେ ମୁନିଅାଁ ଧାତବ ମୁଣ୍ଡ ଲଗାଯାଇ ଯୁଦ୍ଧାସ୍ତ୍ର ଭାବେ ବ୍ୟବହାର କରାଯିବା ଆରମ୍ଭ ହେଲା । ରୋମାନ ସେନା ଏହାକୁ ସବୁଠାରୁ ଘାତକ ଶୈଳୀରେ ପ୍ରୟୋଗ କରୁଥିଲା । ରୋମାନ ସାମ୍ରାଜ୍ୟର ସର୍ବବୃହତ ସୈନ୍ୟ ଦଳର ନାମ ଥିଲା ‘ରୋମାନ ଲିଜନ’ । ସେଥିରେ ହଜାରେରୁ ପାଞ୍ଚ ହଜାର ସୈନ୍ୟ ସାମିଲ ଥିଲେ । ସେମାନଙ୍କୁ ‘ପାଇଲମ’ ନାମକ ଭାରି ଜାଭଲିନଟି ପ୍ରଚଣ୍ଡ ଶକ୍ତିର ଅଧିକାରୀ କରିଦେଇଥିଲା । ପ୍ରତ୍ୟେକ ଯୋଦ୍ଧା ପାଖରେ ଦୁଇଟି ପାଇଲମ ରହୁ୍ଥିଲା । ଏଗୁଡ଼ିକର ମୁଖ୍ୟ ଉଦେ୍ଧଶ୍ୟ ଶତ୍ରୁଙ୍କୁ ମାରିବା ନଥିଲା । ପ୍ରତିପକ୍ଷ ଢ଼ାଲ ଓ ଅସ୍ତ୍ରଶସ୍ତ୍ର ଧରି ରୋମାନ ସେନା ଅଭିମୁଖେ ଅଗ୍ରସର ହେବା ବେଳେ ସେମାନେ ତାଙ୍କ ଉପରକୁ ପାଇଲମ ଫିଙ୍ଗୁଥିଲେ । ବିପକ୍ଷ ସୈନ୍ୟ ନିଜ ଜୀବନ ରକ୍ଷା କରିବାକୁ ଯାଇ ଢ଼ାଲ ପ୍ରୟୋଗ କରୁଥିଲା । ତେବେ ପାଇଲମ ଢ଼ାଲ ମଧ୍ୟରେ ଲାଖି ରହି ତାକୁ ଅତ୍ୟନ୍ତ ଭାରି ଓ ଅସ୍ଥିର କରିଦେଉଥିଲା । ଶତ୍ରୁ ସୈନିକ ମାନେ ବାଧ୍ୟ ହୋଇ ନିଜର ଢ଼ାଲ ଫିଙ୍ଗି ଦେଉଥିଲେ । ଏହା ପରେ ସେମାନଙ୍କୁ ଖଣ୍ଡାରେ ହତ୍ୟା କରିବା ରୋମାନ ସୈନ୍ୟମାନଙ୍କ ପାଇଁ ସହଜ ହୋଇଯାଉଥିଲା । ଜାଭଲିନ ପ୍ରୟୋଗରେ ଏହି ରଣକୌଶଳ ଯୋଗୁଁ ରୋମାନ ଲିଜନ ଅତ୍ୟନ୍ତ ପରାକ୍ରମଶାଳୀ ହୋଇପାରିଥିଲା ।
Powered by Froala Editor