ଗୋପାଳପୁର ବନ୍ଦରରେ ଲଙ୍ଗର ପକାଇଛି ଭାରତୀୟ ନୌସେନାର ଅତ୍ୟାଧୁନିକ ଯୁଦ୍ଧ ଜାହାଜ ‘ଆଇଏନ୍ଏସ୍ ଦୂନାଗିରି’
ଛତ୍ରପୁର: ଗୋପାଳପୁର ବନ୍ଦରରେ ଲଙ୍ଗର ପକାଇଛି ଭାରତୀୟ ନୌସେନାର ଅତ୍ୟାଧୁନିକ ଯୁଦ୍ଧ ଜାହାଜ ‘ଆଇଏନ୍ଏସ୍ ଦୂନାଗିରି’। ବିଶାଖାପାଟଣାରୁ ଆସି ଶୁକ୍ରବାର ଏହି ଯୁଦ୍ଧ ଜାହାଜ ବନ୍ଦରରେ ପହଞ୍ଚିଛି । ଏହାକୁ ନିକଟରୁ ଦେଖିବା ପାଇଁ ଅଞ୍ଚଳବାସୀଙ୍କ ମଧ୍ୟରେ ବେଶ୍ ଉତ୍ସାହ ଦେଖାଦେଇଛି। ଯୁଦ୍ଧ ଜାହାଜକୁ ଦେଖିବା ପାଇଁ ବନ୍ଦର ନିକଟରେ ଲୋକଙ୍କ ଭିଡ଼ ଜମୁଛି। ସୂଚନା ଅନୁଯାୟୀ, ଆଇଏନ୍ଏସ୍ ଦନାଗିରିରେ ହେଲିପ୍ୟାଡ୍, ୮ଟି ମିସାଇଲ୍ ରଖିବାର କ୍ଷମତା ଏବଂ ଯୁଦ୍ଧରେ ବ୍ୟବହୃତ ମଧ୍ୟମ ଦୂରଗାମୀ ତୋପ ସହ ବିଭିନ୍ନ ଆଧୁନିକ ଯନ୍ତ୍ରପାତି ରହିଛି । ଏହି ଯୁଦ୍ଧ ଜାହାଜରେ ମୋଟ ୧୨୦ ଜଣ କର୍ମଚାରୀ କାର୍ଯ୍ୟ କରୁଛନ୍ତି। ଦେଶର ସାମୁଦ୍ରିକ ସୀମା ସୁରକ୍ଷାରେ ଏହା ନିୟୋଜିତ ରହିଛି ।
ଗୋପାଳପୁର ବନ୍ଦରର ମାନବସମ୍ବଳ ଅଧିକାରୀ ରତିକାନ୍ତ ଦାସଙ୍କ ସୂଚନା ଅନୁସାରେ, ଯୁଦ୍ଧ ଜାହାଜଟି ଶନିବାର ମଧ୍ୟାହ୍ନ ପର୍ଯ୍ୟନ୍ତ ବନ୍ଦରରେ ରହିବ । ଏହି ଅବସରରେ ସାଧାରଣ ଜନତାଙ୍କୁ ଯୁଦ୍ଧ ଜାହାଜ ଦେଖିବାର ସୁଯୋଗ ମିଳୁଛି ।
Powered by Froala Editor