୯ ରୁ ରାଜ୍ୟରେ ବଢ଼ିବ ଶୀତ
ଭୁବନେଶ୍ଵର: ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଭୀଷଣ ବାତ୍ୟା ‘ମୁରାସୁ’ ଆଜି ଭୋର ସମୟରେ ଦକ୍ଷିଣ ଆନ୍ଧ୍ରପ୍ରଦେଶ ଉପକୂଳରେ ସ୍ଥଳଭାଗ ଅତିକ୍ରମ କରିଛି । ଓଙ୍ଗୋଲ୍ ନିକଟରେ ନେଲ୍ଲୋର ଓ ନରସାପୁର ମଧ୍ୟବର୍ତ୍ତୀ ଅଞ୍ଚଳରେ ବାତ୍ୟା ଲ୍ୟାଣ୍ଡଫଲ୍ କରିଛି । ଗତ ୬ ଘଣ୍ଟାରେ ଘଣ୍ଟାପ୍ରତି ୮ କିଲୋମିଟର ବେଗରେ ଉତ୍ତର-ଉତ୍ତର ପଶ୍ଚିମ ଦିଗକୁ ଗତି କରିଥିଲା ବାତ୍ୟା । ସ୍ଥଳଭାଗ ଅତିକ୍ରମ ପରେ ଦକ୍ଷିଣ ଆନ୍ଧ୍ରପ୍ରଦେଶର ଉପକୂଳବର୍ତ୍ତୀ ଅଞ୍ଚଳରେ ବର୍ଷା ଜାରି ରହିଛି ।
ବାତ୍ୟାଟି ଉତ୍ତର-ଉତ୍ତର ପଶ୍ଚିମ ଦିଗରେ ଗତି କରି ବିଶାଖାପାଟଣା ଅକ୍ଷାଂଶ ଦେଇ ଆଗକୁ ବଢ଼ିବା ସହ ଏହାର ପ୍ରଭାବରେ ଓଡ଼ିଶାର ଦକ୍ଷିଣ ଓ ପଶ୍ଚିମ ଜିଲ୍ଲାଗୁଡ଼ିକରେ ବର୍ଷା ହେବାର ସମ୍ଭାବନା ରହିଛି । ବିଶେଷକରି କୋରାପୁଟ, ମାଲକାନଗିରି, ରାୟଗଡ଼ା, ନବରଙ୍ଗପୁର, କଳାହାଣ୍ଡି ଓ ନୂଆପଡ଼ା ଜିଲ୍ଲାରେ ବର୍ଷାର ପ୍ରଭାବ ରହିବ । କୋରାପୁଟ ଓ ମାଲକାନଗିରି ଜିଲ୍ଲାର କେତେକ ସ୍ଥାନରେ ମଧ୍ୟମରୁ ପ୍ରବଳ ଏବଂ ଅଳ୍ପ କିଛି ସ୍ଥାନରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହୋଇପାରେ ।
ପାଣିପାଗ ମଡେଲ୍ ଅନୁଯାୟୀ, ଆଗାମୀ ୧୦ ଦିନ ମଧ୍ୟରେ ଓଡ଼ିଶା ଉପରେ ପ୍ରଭାବ ପକାଇବା ଭଳି କୌଣସି ନୂଆ ପାଣିପାଗ ସିଷ୍ଟମ୍ ସୃଷ୍ଟି ହେବାର ସମ୍ଭାବନା ନାହିଁ । ୮ ଓ ୯ ତାରିଖରୁ ରାଜ୍ୟରେ ଶୀତ ବଢ଼ିବାର ସମ୍ଭାବନା ରହିଛି । ବାତ୍ୟା ପ୍ରଭାବ କମିବା ପରେ ବାୟୁମଣ୍ଡଳରେ ଜଳୀୟବାଷ୍ପର ପରିମାଣ ହ୍ରାସ ପାଇଲେ ରାଜ୍ୟରେ ଶୀତର ପ୍ରଭାବ ବଢ଼ିବ । ରାତି ତାପମାତ୍ରା ହ୍ରାସ ପାଇବ ।
Powered by Froala Editor