ମୁରାସୁ: ୪ଘଣ୍ଟାରୁ ଊର୍ଦ୍ଧ୍ବ ସମୟ ଧରି ଚାଲିଲା ଲ୍ୟାଣ୍ଡଫଲ୍ ପ୍ରକ୍ରିୟା
ଭୁବନେଶ୍ବର: ଅତି ଭୀଷଣ ସାମୁଦ୍ରିକ ଝଡ଼ ‘ମୁରାସୁ’ ସୋମବାର ବିଳମ୍ବିତ ରାତିରେ ଆନ୍ଧ୍ର ଉପକୂଳରେ ସ୍ଥଳଭାଗ ଛୁଇଁଛି। ରାତି ପ୍ରାୟ ୧୨ଟାରେ ଏହା ନେଲୋର ନିକଟବର୍ତ୍ତୀ ଆଲୁରଠାରେ ଭୂମିସ୍ପର୍ଶ କରିଛି। ଏହି ଲ୍ୟାଣ୍ଡଫଲ୍ ପ୍ରକ୍ରିୟା ଦୀର୍ଘ ୪ଘଣ୍ଟାରୁ ଊର୍ଦ୍ଧ୍ବ ସମୟ ଧରି ଚାଲିଥିଲା। ଏହି ସମୟରେ ଘଣ୍ଟାପ୍ରତି ପବନର ବେଗ ୧୦୦ରୁ ୧୧୦କି.ମି. ଓ ସ୍ଥଳବିଶେଷରେ ଝଟ୍କା ପବନ ୧୨୫କି.ମି. ଛୁଇଁଥିଲା। ଏହାର ପ୍ରଭାବରେ ଦକ୍ଷିଣ ଉତ୍ତର ଆନ୍ଧ୍ର ଓ ଦକ୍ଷିଣ ଓଡ଼ିଶାରେ ପ୍ରବଳ ବର୍ଷା ଆରମ୍ଭ ହୋଇଥିଲା। ବିଶେଷକରି ଗଞ୍ଜାମ, ଗଜପତି, କୋରାପୁଟ, ରାୟଗଡ଼ା, ମାଲକାନଗିରି, କନ୍ଧମାଳ, କଳାହାଣ୍ଡି ସମେତ ଉପକୂଳ ପୁରୀ ଜିଲାରେ ଏହାର ପ୍ରଭାବ ଦେଖିବାକୁ ମିଳିଛି।
ତେବେ ଏହାର ପ୍ରଭାବ ବାତ୍ୟା ‘ଅର୍ଣ୍ଣବ’ଠାରୁ କମ୍ ରହିଛି। ଲ୍ୟାଣ୍ଡଫଲ୍ ପରେ ମଙ୍ଗଳବାର ରାଜ୍ୟର ଦକ୍ଷିଣ ଓ ଉପକୂଳ ଜିଲାରେ ବର୍ଷା ସମ୍ଭାବନା ରହିଛି। ବିଶେଷକରି, ରାୟଗଡ଼ା, କୋରାପୁଟ, ମାଲକାନଗିରି, ଗଜପତି ଓ ଗଞ୍ଜାମ ଜିଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି। ଏସବୁ ଜିଲା ସମେତ ପୁରୀ, ଖୋରଧା, ନୟାଗଡ଼ରେ ଘଣ୍ଟା ପ୍ରତି ୫୦ କିମି ବେଗରେ ପବନ ବୋହିବା ସହ ବର୍ଷା ହୋଇପାରେ। ସେହିପରି, ବାଲେଶ୍ବର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା, ଜଗତସିଂହପୁର, କଟକ, କେନ୍ଦୁଝର ଓ ମୟୂରଭଞ୍ଜ ଜିଲାରେ ପବନ ସହିତ ବର୍ଷା ହେବ। ମୁରାସୁ ଆସୁଥିବାରୁ ୪ ତାରିଖ ଯାଏ ସମୁଦ୍ର ମଧ୍ୟକୁ ନଯିବା ଲାଗି ମତ୍ସ୍ୟଜୀବୀମାନଙ୍କୁ ପରାମର୍ଶ ଦିଆଯାଇଛି।
Powered by Froala Editor