ଭୀଷଣ ବାତ୍ୟାରେ ପରିଣତ ହେଲା 'ମୁରାସୁ', ଆଜିଠାରୁ ରାଜ୍ୟରେ ବର୍ଷା
ଭୁବନେଶ୍ବର: ଭୀଷଣ ବାତ୍ୟାରେ ପରିଣତ ହୋଇଛି 'ମୁରାସୁ' । ପଶ୍ଚିମ-କେନ୍ଦ୍ରୀୟ ଏବଂ ସଂଲଗ୍ନ ଦକ୍ଷିଣ-ପଶ୍ଚିମ ବଙ୍ଗୋପସାଗର ଉପରେ ଥିବା ଘୂର୍ଣ୍ଣିଝଡ଼ 'ମୁରାସୁ' ଗତ 6 ଘଣ୍ଟା ମଧ୍ୟରେ ଘଣ୍ଟା ପ୍ରତି 20 କିଲୋମିଟର ବେଗରେ ପ୍ରାୟ ଉତ୍ତର-ପଶ୍ଚିମ ଦିଗରେ ଗତି କରି ଭୀଷଣ ବାତ୍ୟାରେ ପରିଣତ ହୋଇଛି । ଏହା ତାମିଲନାଡୁରୁ ପ୍ରାୟ 260 କିଲୋମିଟର ପୂର୍ବ-ଉତ୍ତରପୂର୍ବ, ନେଲୋରରୁ 290 କିଲୋମିଟର ପୂର୍ବ-ଦକ୍ଷିଣପୂର୍ବ, ମଛଲିପଟନମରୁ 320 କିଲୋମିଟର ଏବଂ ବିଶାଖାପାଟଣାରୁ 470 କିଲୋମିଟର ଦକ୍ଷିଣରେ ରହିଛି ।
ଭାରତୀୟ ପାଣିପାଗ ବିଭାଗ(IMD) ସୂଚନା ଅନୁସାରେ,ଏହା ଉତ୍ତର-ପଶ୍ଚିମ ଦିଗରେ ଗତି କରି, ଆଜି ମଧ୍ୟରାତ୍ରି କିମ୍ବା ଆସନ୍ତାକାଲି ଭୋର ସକାଳ ସୁଦ୍ଧା ଦକ୍ଷିଣ ଆନ୍ଧ୍ର ପ୍ରଦେଶ ଉପକୂଳ ଅତିକ୍ରମ କରିବା ସମ୍ଭାବନା ରହିଛି । ନେଲୋର ଏବଂ ନରସପୁର ମଧ୍ୟରେ ଏହା ସ୍ଥଳଭାଗ ଛୁଇଁପାରେ । ଏହି ସମୟରେ ଘଣ୍ଟାପ୍ରତି 100ରୁ 110 କିଲୋମିଟର ବେଗରେ ପବନ ବହିବା ସହିତ 120 କିଲୋମିଟର ବେଗରେ ଝଟକା ପବନ ବହିପାରେ ।
ଭୁବନେଶ୍ବର ଆଞ୍ଚଳିକ ପାଣିପାଗ କେନ୍ଦ୍ର ସୂଚନା ଅନୁସାରେ, ବାତ୍ୟାର ପ୍ରଭାବ ସିଧାସଳଖ ଓଡ଼ିଶା ଉପରେ ଅପେକ୍ଷାକୃତ କମ୍ ରହିବାର ସମ୍ଭାବନା ଥିଲେ ମଧ୍ୟ ଦକ୍ଷିଣ ଓଡ଼ିଶା ଓ ଉପକୂଳବର୍ତ୍ତୀ ଅଞ୍ଚଳରେ ବର୍ଷା ଓ ପବନର ପ୍ରଭାବ ଅଧିକ ରହିପାରେ । ଆଜିଠାରୁ ରାଜ୍ୟରେ ବର୍ଷା ଓ ପବନର ପ୍ରଭାବ ରହିବା ସହ ଦକ୍ଷିଣ ଓଡ଼ିଶାର କିଛି ଅଞ୍ଚଳରେ ବର୍ଷା ସହ ବିଜୁଳି ଓ ଘଡ଼ଘଡ଼ି ହେବା ସମ୍ଭାବନା ରହିଛି । ଗଞ୍ଜାମ ଓ ଗଜପତି ଜିଲ୍ଲାରେ ପ୍ରବଳ ବର୍ଷା ହୋଇପାରେ । ଏଥିସହ ଦକ୍ଷିଣ ଉପକୂଳ ଓ ଦକ୍ଷିଣ ଆଭ୍ୟନ୍ତରୀଣ ଓଡ଼ିଶାର କେତେକ ଜିଲ୍ଲାରେ ପବନର ବେଗ ଘଣ୍ଟା ପ୍ରତି ୪୦ରୁ ୫୦ କିଲୋମିଟର ଏବଂ ଝଟକା ପବନ ୬୦ କିଲୋମିଟର ପର୍ଯ୍ୟନ୍ତ ରହିପାରେ ।
ଅକ୍ଟୋବର ୩ ଓ ୪ ତାରିଖ ଦକ୍ଷିଣ ଓଡ଼ିଶା ପାଇଁ ଗୁରୁତ୍ବପୂର୍ଣ୍ଣ । ପ୍ରବଳରୁ ଅତି ପ୍ରବଳ ବର୍ଷା ନେଇ ଜାରି ହେଲା ଅରେଞ୍ଜ ଆଲର୍ଟ । ବିଶେଷ କରି ଗଞ୍ଜାମ, ଗଜପତି, ରାୟଗଡ଼ା, କୋରାପୁଟ, ମାଲକାନଗିରିରେ ପବନ ସହ ବିଜୁଳି ଘଡ଼ଘଡ଼ି ଓ ପ୍ରବଳ ବର୍ଷା ସମ୍ଭାବନା ରହିଛି ।
Powered by Froala Editor