୨୬ରେ ହେବ ମହାନଦୀ ଜଳ ବିବାଦର ଶୁଣାଣି
ନୂଆଦିଲ୍ଲୀ: ଓଡ଼ିଶା ଓ ଛତିଶଗଡ଼ ମଧ୍ୟରେ ମହାନଦୀ ଜଳ ଆବଣ୍ଟନ ଲାଗି ଏକ ଫର୍ମୁଲା ଶୀଘ୍ର ସ୍ଥିର କରିବା ପାଇଁ ମହାନଦୀ ଜଳବିବାଦ ଟ୍ରିବ୍ୟୁନାଲ କେନ୍ଦ୍ରୀୟ ଜଳ ଆୟୋଗ (ସିଡବ୍ଲୁସି)କୁ ଆଉ କିଛି ସମୟ ପ୍ରଦାନ କରିଛନ୍ତି। ଏହାପରେ ଶୁଣାଣି ଆସନ୍ତା ଅକ୍ଟୋବର ୨୬ରେ ହେବ ବୋଲି ସ୍ଥିର କରାଯାଇଛି ।
ମହାନଦୀ ଜଳ ବିବାଦ ଟ୍ରିବ୍ୟୁନାଲ ଅଧ୍ୟକ୍ଷା ବେଲା ଏନ୍ ତ୍ରିବେଦୀଙ୍କ ନେତୃତ୍ୱରେ ଗୁରୁବାର ଅନୁଷ୍ଠିତ ଶୁଣାଣି ସମୟରେ ଓଡିଶା ଓ ଛତିଶଗଡ ଏଜିଙ୍କ ପକ୍ଷରୁ କଥାବାର୍ତ୍ତାର ଅଗ୍ରଗତି ବିଷୟ ଟ୍ରିବ୍ୟୁନାଲଙ୍କୁ ଅବଗତ କରାଯାଇଥିଲା । ଗତ ଅକ୍ଟୋବର ୧ରେ ସ୍ୱରାଷ୍ଟ ମନ୍ତ୍ରୀ ଅମିତ ଶାହଙ୍କ ଅଧ୍ୟକ୍ଷତାରେ ଜଳ ସମ୍ପଦ ମନ୍ତ୍ରୀ ସି ଆର ପାଟିଲଙ୍କ ଉପସ୍ଥିତିରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଓ ଛତିଶଗଡ ମୁଖ୍ୟମନ୍ତ୍ରୀ ବିଷ୍ଣୁଦେଓ ସାଏଙ୍କ ସହ ହୋଇଥିବା ଆଲୋଚନା ସମ୍ପର୍କରେ ମଧ୍ୟ ଟ୍ରିବ୍ୟୁନାଲ ଅବଗତ ହୋଇଥିଲେ ।
ତେବେ ସିଡବ୍ଲୁସି ଜଳ ଆବଣ୍ଟନକୁ ନେଇ ଚୂଡାନ୍ତ ରିପୋର୍ଟ ସ୍ଥିର କରିପାରିନଥିବାରୁ ଏଥିଲାଗି ଆଉ କିଛି ସମୟ ଦେବାକୁ ଉଭୟ ରାଜ୍ୟ ଟ୍ରିବ୍ୟୁନାଲଙ୍କୁ ନିବେଦନ କରିଥିଲେ । ଉଭୟ ରାଜ୍ୟଙ୍କ ମଧ୍ୟରେ ଜଳ ଆବଣ୍ଟନର ଏକ ଚୂଡାନ୍ତ ଫର୍ମୁଲା ପାଇଁ ଶେଷ ପର୍ଯ୍ୟାୟ କଥାବାର୍ତ୍ତା ଖୁବ୍ ଶୀଘ୍ର ହେବ ବୋଲି ଟ୍ରିବ୍ୟୁନାଲଙ୍କୁ କୁହାଯାଇଥିଲା । ଓଡିଶା ଏଜି ପିତାମ୍ବର ଆଚାର୍ଯ୍ୟ ସିଡବ୍ଲୁସି ସହ ଚାଲିଥିବା କଥାବର୍ତ୍ତା ପ୍ରସଙ୍ଗରେ ଟ୍ରିବ୍ୟୁନାଲଙ୍କୁ ସୂଚନା ଦେଇଥିଲେ ।
Powered by Froala Editor