ବୀମା ଓ ବିଲିଂ ଜାଲିଆତିରେ କୋଟି କୋଟି ଟଙ୍କା ଆତ୍ମସାତ : ୨୦୩ଟି ଘରୋଇ ହସ୍ପିଟାଲ ଉପରେ ଅତର୍କିତ ଚଢ଼ଉ
ରାୟଗଡ଼ା : କୃତ୍ରିମ ବୁଦ୍ଧିମତ୍ତା ଉପଯୋଗ କରି ଘରୋଇ ଡାକ୍ତରଖାନାଗୁଡ଼ିକ ରୋଗୀଙ୍କୁ ସହଜ ଓ ସୁଲଭ ମୂଲ୍ୟରେ ଚିକିତ୍ସା ଯୋଗାଇଦେବାକୁ କହି କୋଟି କୋଟି ଟଙ୍କା ଆତ୍ମସାତ କରିବା ଜଣାପଡ଼ିବା ପରେ ଆନ୍ଧ୍ର ପ୍ରଶାସନ କଠୋର ଆଭିମୁଖ୍ୟ ଗ୍ରହଣ କରିଛି। ବୀମା ଓ ବିଲିଂ ଜାଲିଆତିରେ କୋଟି କୋଟି ଟଙ୍କା ଆତ୍ମସାତ ଧରାପଡ଼ିବା ପରେ ସୀମାନ୍ତରେ ଆନ୍ଧ୍ର ସରକାର ତତ୍ପରତା ପ୍ରକାଶ କରିଛି। ବୀମା ଜାଲିଆତିକୁ ନେଇ ରାଜ୍ୟରେ ୨୦୩ଟି ଘରୋଇ ହସ୍ପିଟାଲ ଉପରେ ଅତର୍କିତ ଚଢ଼ଉ କରାଯାଇଥିଲା। ସେସବୁ ଡାକ୍ତରଖାନା ଉପରେ ୩୪.୩୯ କୋଟି ଟଙ୍କା ଜୋରିମାନା କରାଯାଇଛି। ଏଥିରେ ଓଡ଼ିଶା ସରକାରଙ୍କ ଆୟୁଷ୍ମାନ ଯୋଜନାରେ ଅନୁବନ୍ଧିତ ୨୮ଟି ଘରୋଇ ଡାକ୍ତରଖାନା ରହିଛି।
ଆନ୍ଧ୍ରର ଏନଟିଆର ବୈଦ୍ୟ ଯୋଜନା ସହିତ ଓଡ଼ିଶାର ଆୟୁଷ୍ମାନ ଆରୋଗ୍ୟ ଯୋଜନାରେ ଘରୋଇ ଡାକ୍ତରଖାନାଗୁଡ଼ିକ ଅନ୍ତର୍ଭୁକ୍ତ ହୋଇଛନ୍ତି। ସ୍ବାସ୍ଥ୍ୟବୀମା କାର୍ଡର ଦୁରୁପଯୋଗ ଅଭିଯୋଗ ଆଧାରରେ ଆନ୍ଧ୍ର ସରକାର ୨୩ଟି ଘରୋଇ ଡାକ୍ତରଖାନାକୁ ବନ୍ଦ କରି ଦେଇଛନ୍ତି । କାର୍ଯ୍ୟକାରୀ ହେଉଥିବା ଆରୋଗ୍ୟ ଶ୍ରୀ ସ୍ବାସ୍ଥ୍ୟବୀମା ଯୋଜନାର ଅର୍ଥ ରାଶିକୁ ୧୩ ଡାକ୍ତରଖାନାକୁ ଦେବାକୁ ସରକାର ମନା କରିଦେଇଛନ୍ତି। ୪୪ ଡାକ୍ତରଖାନା ବିରୋଧରେ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ନିର୍ଦ୍ଦେଶ ଦିଆଯାଇଛି।
ଓଡ଼ିଶାର ଆୟୁଷ୍ମାନ ଆରୋଗ୍ୟ ଯୋଜନାରେ ଶ୍ରୀକାକୁଲମର ୩ଟି ଓ ବିଶାଖାପାଟଣାର ୨୫ ଡାକ୍ତରଖାନା ଅନୁବନ୍ଧିତ ହୋଇଛି। ଅନାବଶ୍ୟକ ଭାବେ ରୋଗୀଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରି ଆବଶ୍ୟକତାଠାରୁ ଅଧିକ ପରୀକ୍ଷାନିରୀକ୍ଷା କରାଯାଉଛି। ଅଧିକ ଲାଭ ପାଇଁ ଏଆଇ ଆଲଗୋରିଦମକୁ ସେଟ୍ କରି ଏମଆରଆଇ, ଅଲଟ୍ରା ସାଉଣ୍ଡ, ସିଟି ସ୍କାନ, ସିଟି ଅାଞ୍ଜିଓଗ୍ରାଫି, ବାଇଓପ୍ସି, ହିଷ୍ଟୋ ପାଥୋଲୋଜି, ଜେନେଟିକି ସ୍କାନିଂ, ଏଣ୍ଡୋସ୍କୋପି ଭଳି ଅନାବଶ୍ୟକ ପରୀକ୍ଷା କରି ଆୟୁଷ୍ମାନ କାର୍ଡରୁ ବିପୁଳ ଅର୍ଥ ବିଲ କରି ନେଇଛନ୍ତି। ଏଭଳି ଆରୋପ ପରେ ଆନ୍ଧ୍ର ସରକାର ଗୋପନୀୟ ଭାବେ ଏହାକୁ ଯାଞ୍ଚ କରିଥିଲେ। ରାଜ୍ୟର ୨୦୩ ଡାକ୍ତରଖାନାରେ ଏଭଳି କାରସାଦି ହେଉଥିବା ଜଣାପଡ଼ିବା ପରେ ଆନ୍ଧ୍ର ପ୍ରଶାସନ କଠୋର ଆଭିମୁଖ୍ୟ ଗ୍ରହଣ କରି ମୋଟା ଅଙ୍କର ଜୋରିମାନା ଆଦାୟ ସହିତ କିଛି ଡାକ୍ତରଖାନାକୁ ବୀମା ରାଶି ଦେବାକୁ ମନା କରିଦେଇଛନ୍ତି।
Powered by Froala Editor