ହାତୀ ସହ ସେଲ୍ଫି ଓ ରିଲ୍ସ କରିବା ପଡିଲା ମହଙ୍ଗା: ୭ ଦିନରେ ୪ ଗିରଫ
କେନ୍ଦୁଝର : ସୋସିଆଲ ମିଡିଆରେ ଚର୍ଚ୍ଚିତ ହେବା ଏବଂ ରିଲ୍ସ ନିଶା ଯୁବପିଢ଼ିଙ୍କୁ ଜେଲ୍ ହାଜତର ଚାରିକାନ୍ଥରେ କଏଦ୍ କରୁଛି। ଜଙ୍ଗଲ ଭିତରେ ପଶି ବଣୁଆ ହାତୀଙ୍କୁ ଉତ୍ତେଜିତ କରିବା, ଲାଞ୍ଜ ଓ ଦାନ୍ତ ଧରି ସେଲଫି ନେବା ଏବଂ ଶୋଇଥିବା ହାତୀଙ୍କୁ ଟେକାପଥର ଫିଙ୍ଗି ଭିଡିଓ ତିଆରି କରିବା କିଛି ଯୁବକଙ୍କୁ ବେଶ୍ ମହଙ୍ଗା ପଡ଼ିଛି। ଏଭଳି ବେଆଇନ, ବେପରୁଆ ଓ ବିପଜ୍ଜନକ କାର୍ଯ୍ୟକଳାପ ବିରୋଧରେ କେନ୍ଦୁଝର ବନ ବିଭାଗ କଡ଼ା ପଦକ୍ଷେପ ଗ୍ରହଣ କରି ଗତ ୭ ଦିନ ମଧ୍ୟରେ ୪ ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି। ଶୁକ୍ରବାର ଗିରଫ ହୋଇଥିବା ଯୁବକ ଜଣଙ୍କ ହେଲେ, ଭୁଲଦା ଗ୍ରାମର ହିମାଂଶୁ ଶେଖର ମହାନ୍ତ।
ବନ ବିଭାଗର ସୂଚନା ଅନୁସାରେ, ହିମାଂଶୁ ବଣୁଆ ହାତୀଙ୍କ ନିକଟକୁ ଯାଇ ଅଙ୍ଗଭଙ୍ଗୀ କରିବା ସହ ସେମାନଙ୍କୁ ହଇରାଣ କରି ଭିଡିଓ ଭାଇରାଲ୍ କରିଥିଲେ। ବର୍ତ୍ତମାନ କେନ୍ଦୁଝର ଜିଲାରେ ପ୍ରାୟ ୧୫୬ଟି ବଣୁଆ ହାତୀ ବିଚରଣ କରୁଛନ୍ତି। ସେଥିମଧ୍ୟରୁ ପାଟଣା, ଚମ୍ପୁଆ, ଉଖୁଣ୍ଡା, ସାହାରପଡ଼ା ଓ ଘଟଗାଁ ଅଞ୍ଚଳରେ ୨୬ଟି ହାତୀଙ୍କ ସକ୍ରିୟ ଗତିବିଧି ରହିଛି। କିଛି ଅମାନିଆ ଯୁବକ ବାହାଦୁରୀ ଦେଖାଇବା ପାଇଁ ହାତୀଙ୍କ ପାଖକୁ ଯାଇ ବାଡ଼ିରେ ପିଟିବା, ଲାଞ୍ଜ ଟାଣିବା ଏବଂ ସେମାନଙ୍କ ଆଗରେ ଠିଆ ହୋଇ ଫଟୋ ଉଠାଇବା, ଭିଡିଓ କରିବା ଭଳି ଦୁଃସାହସିକ କାର୍ଯ୍ୟ କରୁଛନ୍ତି। ବନ୍ୟପ୍ରାଣୀ ସଂରକ୍ଷଣ ଆଇନ ଅନୁସାରେ, ବନ୍ୟଜନ୍ତୁଙ୍କୁ ହଇରାଣ ଓ ଉତ୍ତେଜିତ କରିବା ଏକ ସଙ୍ଗୀନ ଅପରାଧ। ଏହିପରି କାର୍ଯ୍ୟକଳାପ ପାଇଁ ଆଇନରେ ୭ବର୍ଷ ପର୍ଯ୍ୟନ୍ତ କାରାଦଣ୍ଡର ପ୍ରାବଧାନ ରହିଛି। ଏନେଇ କେନ୍ଦୁଝର ଡିଏଫ୍ଓ ଏଚ୍.ଡି ଧନରାଜ କହିଛନ୍ତି ଯେ ଏହା କେବଳ ହାତୀଙ୍କ ସୁରକ୍ଷା ନୁହେଁ, ବରଂ ଗ୍ରାମବାସୀ ଓ ଯୁବକମାନଙ୍କ ନିଜ ଜୀବନ ପ୍ରତି ମଧ୍ୟ ବଡ଼ ବିପଦ ସୃଷ୍ଟି କରୁଛି। ଲୋକଙ୍କ ଏଭଳି ବେପରୁଆ ବ୍ୟବହାର ଯୋଗୁଁ ହାତୀମାନେ ଉତ୍ତେଜିତ ହୋଇ ଗାଁମୁହାଁ ହେଉଛନ୍ତି ଏବଂ ସାଧାରଣ ଲୋକଙ୍କ ଉପରେ ଆକ୍ରମଣ କରୁଛନ୍ତି।
Powered by Froala Editor