‘ଓଡ଼ିଶା ଯାତ୍ରୀ’ ଆପ୍ରେ ଶୁଭାରମ୍ଭ
ଭୁବନେଶ୍ୱର: ପ୍ରଯୁକ୍ତିବିଦ୍ୟା ଓ ଡିଜିଟାଲ୍ ପ୍ରୟାସ ମାଧ୍ୟମରେ ନାଗରିକ ସୁରକ୍ଷା ବ୍ୟବସ୍ଥାକୁ ଆହୁରି ସୁଦୃଢ଼ କରିବା ଦିଗରେ ରାଜ୍ୟ ସରକାର ଏକ ପଦକ୍ଷେପ ଗ୍ରହଣ କରିଛନ୍ତି। ‘ଓଡ଼ିଶା ଯାତ୍ରୀ’ ଆପ୍ରେ ଏକ ଉନ୍ନତ ସୁରକ୍ଷା ମଡ୍ୟୁଲ୍ ସାମିଲ କରାଯାଇ ଏହାକୁ ଦେଶର ପ୍ରଥମ ସରକାରୀ ସମନ୍ୱିତ ସୁରକ୍ଷା ଓ ଗମନାଗମନ ପ୍ଲାଟଫର୍ମ ଭାବେ ରୂପାନ୍ତରିତ କରାଯାଇଛି।ପୂର୍ବରୁ ଅଟୋ-ରିକ୍ସା ବୁକିଂ, କ୍ୟାବ୍ ସେବା, ‘ଆମ ବସ୍’ ସୂଚନା ଓ ଟିକଟିଂ ଏବଂ ବୋଟିଂ ସେବା ଭଳି ଦୈନନ୍ଦିନ ଗମନାଗମନ ପାଇଁ ଜନସାଧାରଣଙ୍କ ଦ୍ୱାରା ବହୁଳ ଭାବେ ବ୍ୟବହୃତ ହେଉଥିବା ‘ଓଡ଼ିଶା ଯାତ୍ରୀ’ ଆପ୍ରେ ଏବେ ବ୍ୟକ୍ତିଗତ ସୁରକ୍ଷା ପାଇଁ ଏକ ବ୍ୟବସ୍ଥା ଉପଲବ୍ଧ କରାଯାଇଛି। ନୂତନ ଭାବେ ସାମିଲ ହୋଇଥିବା ଏହି ସୁରକ୍ଷା ମଡ୍ୟୁଲ୍କୁ ଓଡ଼ିଶା ପୁଲିସ୍ ଏବଂ ଜାତୀୟ ଜରୁରୀକାଳୀନ ସେବା ‘୧୧୨’ ସହ ସମନ୍ୱିତ କରାଯାଇଛି, ଯାହାଦ୍ୱାରା ଜରୁରୀକାଳୀନ ପରିସ୍ଥିତିରେ ଉପଭୋକ୍ତା ରିୟଲ୍-ଟାଇମ୍ ଲୋକେସନ୍ ଆଧାରିତ ଆଲର୍ଟ ମାଧ୍ୟମରେ ତୁରନ୍ତ ପ୍ରଶାସନିକ ସହାୟତା ପାଇପାରିବେ। ଉପ-ମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା କହିଛନ୍ତି ଯେ, ନାଗରିକ ସୁରକ୍ଷା ସରକାରଙ୍କ ସର୍ବୋଚ୍ଚ ପ୍ରାଥମିକତା। ପ୍ରତ୍ୟେକ ନାଗରିକଙ୍କ ପାଇଁ ଆବଶ୍ୟକ ସମୟରେ ନିର୍ଭରଯୋଗ୍ୟ ସୁରକ୍ଷା ବ୍ୟବସ୍ଥା ଉପଲବ୍ଧ ହେବା ଉଚିତ ବୋଲି ସେ ପ୍ରକାଶ କରିଛନ୍ତି।‘ୱାନ୍-ଟ୍ୟାପ୍’ ବୈଶିଷ୍ଟ୍ୟ ମାଧ୍ୟମରେ ଉପଭୋକ୍ତା ଜରୁରୀକାଳୀନ ପରିସ୍ଥିତିରେ ପୁଲିସ୍ ଏବଂ ନିଜର ବିଶ୍ୱସ୍ତ ବ୍ୟକ୍ତିମାନଙ୍କ ପାଖକୁ ତୁରନ୍ତ ଲାଇଭ୍ ଲୋକେସନ୍ ସହ ଆଲର୍ଟ ପଠାଇପାରିବେ। ଏହି ସୁରକ୍ଷା ମଡ୍ୟୁଲ୍ ଉଭୟ ଓଡ଼ିଆ ଏବଂ ଇଂରାଜୀ ଭାଷାରେ ଉପଲବ୍ଧ ରହିଛି।
Powered by Froala Editor