ଜାଲ ଆକାଉଣ୍ଟ ଖୋଲି ଛାତ୍ରୀଙ୍କ ଫଟୋ ଓ ଭିଡିଓ ପ୍ରଘଟ କରୁଥିଲେ ପ୍ରଫେସର, ହେଲେ ଗିରଫ
ଖଣ୍ଡଗିରି : ସାମାଜିକ ଗଣମାଧ୍ୟମରେ ଜାଲ ଆକାଉଣ୍ଟ ଖୋଲି ଜଣେ ଛାତ୍ରୀଙ୍କ ଫଟୋ ଓ ଭିଡିଓ ପ୍ରଘଟ କରିବା ସହ ଫୋନ କରି ମାନସିକ ନିର୍ଯାତନା ଦେବା ଅଭିଯୋଗରେ ଭରତପୁର ଥାନା ପୁଲିସ ସମ୍ପୃକ୍ତ ଜଣେ ପ୍ରଫେସରଙ୍କୁ ଗିରଫ କରି ଅଦାଲତ ଚାଲାଣ କରିଛି। ଗିରଫ ଅଭିଯୁକ୍ତ ହେଲେ ପଶ୍ଚିମବଙ୍ଗ ହୁଗୁଳି ଜିଲା ରେଣୁକା ଭିଲାର ଅଜିତ କୁମାର। ଅଭିଯୁକ୍ତ ଏକ ଶିକ୍ଷାନୁଷ୍ଠାନର ପ୍ରଫେସର ଭାବେ କାମ କରନ୍ତି।
ସୂଚନା ଅନୁସାରେ, ଏକ ଘରୋଇ ଶିକ୍ଷାନୁଷ୍ଠାନରେ ଛାତ୍ରୀ ପଶୁ ଚିକିତ୍ସା ବିଜ୍ଞାନ ବିଭାଗରେ ପାଠ ପଢୁଥିଲେ। ସେହି ଶିକ୍ଷାନୁଷ୍ଠାନର ପ୍ରଫେସର ଅଜିତ କୁମାର ତାଙ୍କ ସହ ପରିଚିତ ହେବା ପରେ ଭଲ ସମ୍ପର୍କ ଥିଲା। ଗତ କିଛି ମାସ ପୂର୍ବରୁ ପ୍ରଫେସର ଅଜିତ ପୀଡ଼ିତାଙ୍କୁ ଭ୍ରମିତ କରି କଲକାତାରେ ପଶୁ ପ୍ରଦର୍ଶନୀରେ ଯୋଗ ଦେବାକୁ କହି ଡାକି ନେଇଥିଲେ। ଏକଥା କାହାରିକୁ ନକହିବାକୁ କହିଥିଲେ। ଘଟଣା ଜାଣିବା ପରେ ଛାତ୍ରୀଙ୍କ ପରିବାର ଲୋକ ସମ୍ପୃକ୍ତ ଶିକ୍ଷାନୁଷ୍ଠାନକୁ ଜଣାଇଥିଲେ। ପ୍ରଫେସରଙ୍କୁ ଉକ୍ତ ଶିକ୍ଷାନୁଷ୍ଠାନ ପକ୍ଷରୁ ଚାକିରିରୁ ବହିଷ୍କାର କରାଯାଇଥିଲା। ଅଭିଯୁକ୍ତ ଅଜିତ କଲକାତାର ଏକ ଶିକ୍ଷାନୁଷ୍ଠାନରେ କାମ କରୁଥିବା ଜଣାପଡିଛି। ବିବାହ କରିବାକୁ ଚାପ ପକାଇ ସାମାଜିକ ଗଣମାଧ୍ୟମରେ ‘ଏ କୁଣ୍ଡୁ’ ନାମରେ ଏକ ଜାଲ ଆକାଉଣ୍ଟ ଖୋଲି ପୀଡ଼ିତାଙ୍କ ଫଟୋ ଓ ଭିଡିଓକୁ ଏଡିଟ କରି ପୋଷ୍ଟ କରିଥିଲେ। ଏନେଇ ପୀଡ଼ିତା ଭରତପୁର ଥାନାରେ ଅଭିଯୋଗ କରିଥିଲେ। ଅଭିଯୁକ୍ତଙ୍କ ନିକଟରୁ ପୁଲିସ ଆପତ୍ତିଜନକ ଫଟୋ, ଭିଡିଓ ଓ ମୋବାଇଲ ଜବତ କରିଛି।
Powered by Froala Editor