ବିନା କାମରେ ଦରମା ମିଳୁଥିବା ଜଣାପଡ଼ିଲେ ଦାୟିତ୍ବରେ ଥିବା ଅଧିକାରୀଙ୍କ ଠାରୁ ହେବ ଅର୍ଥ ଆଦାୟ
ଭୁବନେଶ୍ବର: ସରକାରୀ ଅଧିକାରୀମାନଙ୍କ ବଦଳି ହେଲେ କିମ୍ବା ନୂଆ ଅଧିକାରୀଙ୍କ ନିଯୁକ୍ତି ହେଲେ ତାଙ୍କୁ ଚାରି ମାସ ଭିତରେ ନୂଆ ଦାୟିତ୍ବ ଆବଣ୍ଟନ କରିବା ଜରୁରୀ। କିନ୍ତୁ ଦୀର୍ଘଦିନ ପର୍ଯ୍ୟନ୍ତ ଅଧିକାରୀମାନଙ୍କୁ ଦାୟିତ୍ବ ବଣ୍ଟନ ହୋଇପାରୁ ନାହିଁ କିମ୍ବା ସେମାନଙ୍କୁ ନିଯୁକ୍ତି ମିଳୁ ନାହିଁ। ବିନା କାମରେ ସେମାନଙ୍କୁ ଦରମା ଦେବାକୁ ପଡ଼ୁଛି। ଏହାକୁ ନେଇ ଅର୍ଥ ବିଭାଗ ଉଦ୍ବେଗ ପ୍ରକାଶ କରିବା ସହ କାର୍ଯ୍ୟରେ ଅବହେଳା କରୁଥିବା ଅଧିକାରୀଙ୍କୁ ଉତ୍ତରଦାୟୀ କରିବା ପାଇଁ ନିର୍ଦେଶ ଦେଇଛି।
ନିଯୁକ୍ତି ଫାଇଲ ଅଟକାଇ ରଖୁଥିବା ଅଧିକାରୀଙ୍କ ଠାରୁ ବିନା କାମରେ ଦିଆଯାଇଥିବା ଦରମା ଅର୍ଥ ଆଦାୟ କରାଯିବ। ଅର୍ଥ ବିଭାଗର ପ୍ରମୁଖ ସଚିବ ସଞ୍ଜୀବ କୁମାର ମିଶ୍ର ଶୁକ୍ରବାର ସମସ୍ତ ବିଭାଗର ଅତିରିକ୍ତ ମୁଖ୍ୟ ସଚିବ, ପ୍ରମୁଖ ସଚିବ ଓ ଶାସନ ସଚିବଙ୍କୁ ପତ୍ର ଲେଖି କହିଛନ୍ତି ଯେ, ନିୟମ ଅନୁସାରେ ବଦଳି କିମ୍ବା ନୂଆ ନିଯୁକ୍ତି କ୍ଷେତ୍ରରେ ସମ୍ପୃକ୍ତ ଅଧିକାରୀଙ୍କୁ ସେମାନଙ୍କ ବିଭାଗ ସର୍ବାଧିକ ୧୨୦ ଦିନ ମଧ୍ୟରେ ନିୟୋଜିତ କରିବା ଆବଶ୍ୟକ। ପୁରୁଣା ପଦବୀରୁ ନେଇ ନୂଆ ପଦବୀରେ ଅବସ୍ଥାପିତ କରାଇବା ପାଇଁ ଯଥେଷ୍ଟ ସମୟ ଦିଆଯାଉଛି। କିନ୍ତୁ ଏହି ସମୟ ଭିତରେ ସେମାନଙ୍କୁ ପଦବୀ ମିଳୁ ନାହିଁ। ସେମାନେ ମାସ ମାସ ଧରି ବିନା ଦାୟିତ୍ବରେ ବସି ରହୁଛନ୍ତି। ଯଦି କୌଣସି ପରିସ୍ଥିତିରେ ୧୨୦ ଦିନ ମଧ୍ୟରେ ପଦବୀ ଆବଣ୍ଟନ ହୋଇପାରୁ ନାହିଁ, ତା’ ହେଲେ ସେ ସମ୍ପର୍କରେ ସମ୍ପୃକ୍ତ ବିଭାଗ ଅର୍ଥ ବିଭାଗକୁ ଅବଗତ କରାଇବା ଜରୁରୀ, ତାହା ମଧ୍ୟ ହେଉ ନାହିଁ।
କିନ୍ତୁ ଆଗକୁ ଏପରି ଅବହେଳା ବରଦାସ୍ତ ହେବ ନାହିଁ ବୋଲି ଅର୍ଥ ବିଭାଗ ସ୍ପଷ୍ଟ କରିଦେଇଛି। ଅର୍ଥ ବିଭାଗ ପକ୍ଷରୁ କୁହାଯାଇଛି ଯେ, ଯଦି ୩୦ ଦିନ ମଧ୍ୟରେ ଅଧିକାରୀଙ୍କୁ ପଦବୀ/ଦାୟିତ୍ବ ନ ମିଳିବା ସହ ବିନା କାମରେ ଦରମା ମିଳୁଥିବା ଜଣାପଡ଼େ, ତା’ ହେଲେ ଦାୟିତ୍ବରେ ଥିବା ଅଧିକାରୀଙ୍କ ଠାରୁ ସେହି ଅର୍ଥ ଆଦାୟ କରାଯିବ। ନିଯୁକ୍ତି ପ୍ରଦାନରେ ଅବହେଳା କରାଯାଉଛି କି ନାହିଁ ତାହାର କଡ଼ାକଡ଼ି ଅନୁଧ୍ୟାନ କରାଯିବ। ଏଥିସହ ନିଯୁକ୍ତି ବିଳମ୍ବ କାରଣ, ସେଥିପାଇଁ କିଏ ଦାୟୀ ଏବଂ ଦୋଷୀ ଅଧିକାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ରିପୋର୍ଟ ନ ଦେବା ପର୍ଯ୍ୟନ୍ତ ବଦଳି ହୋଇଥିବା ଅଧିକାରୀଙ୍କ ଯୋଗଦାନ ସମୟର ସମ୍ପ୍ରସାରଣ ପାଇଁ ଅନୁମତି ମିଳିବ ନାହିଁ ବୋଲି ଅର୍ଥ ବିଭାଗ ସ୍ପଷ୍ଟ କରିଛି।
Powered by Froala Editor