ଉଚ୍ଚଶିକ୍ଷା ବିଭାଗ କମିସନର ଓ ଅନ୍ୟାନ୍ୟ ଅଧିକାରୀଙ୍କ ବିରୋଧରେ ଜରୁରୀକାଳୀନ ପୁଲିସ ନୋଟିସ୍
କଟକ: ଅଦାଲତ ଅବମାନନା ମାମଲାକୁ ନେଇ ଓଡ଼ିଶା ହାଇକୋର୍ଟ କଡ଼ା ଆଭିମୁଖ୍ୟ ଗ୍ରହଣ କରିଛନ୍ତି। ଅଦାଲତଙ୍କ ଆଦେଶ ପାଳନ ନ କରିବା ଅଭିଯୋଗରେ ଉଚ୍ଚଶିକ୍ଷା ବିଭାଗର କମିସନର ତଥା ଶାସନ ସଚିବ ଏବଂ ଅନ୍ୟାନ୍ୟ ଅଧିକାରୀମାନଙ୍କ ବିରୋଧରେ ଜରୁରୀକାଳୀନ ପୁଲିସ ନୋଟିସ୍ ଜାରି ହୋଇଛି। ଜଷ୍ଟିସ୍ କୃଷ୍ଣ ଏସ୍. ଦୀକ୍ଷିତ ମାମଲାର ଶୁଣାଣି କରି ଏହି ଆଦେଶ ଦେଇଛନ୍ତି।ଈଶ୍ୱର ପ୍ରସାଦ ନନ୍ଦ ନାମକ ଜଣେ ବ୍ୟକ୍ତି ହାଇକୋର୍ଟଙ୍କ ନିର୍ଦ୍ଦେଶ ପାଳନ କରାଯାଇ ନଥିବା ଦର୍ଶାଇ ଉଚ୍ଚଶିକ୍ଷା ସଚିବ ଅରବିନ୍ଦ ଅଗ୍ରୱାଲ ଏବଂ ଅନ୍ୟ ଅଧିକାରୀମାନଙ୍କ ବିରୋଧରେ ଏକ ଅଦାଲତ ଅବମାନନା ମାମଲା ଦାୟର କରିଥିଲେ। ଅଦାଲତ ଏହି ମାମଲାକୁ ଗମ୍ଭୀରତାର ସହ ନେଇ ସ୍ପୀଡ୍ ପୋଷ୍ଟ ମାଧ୍ୟମରେ ପ୍ରତିପକ୍ଷ ଅଧିକାରୀମାନଙ୍କୁ ଜରୁରୀକାଳୀନ ପୁଲିସ ନୋଟିସ୍ ପଠାଇବାକୁ ନିର୍ଦେଶ ଦେଇଛନ୍ତି, ଯାହାର ଜବାବ ୧୦ ଦିନ ମଧ୍ୟରେ ଦେବାକୁ କୁହାଯାଇଛି। ଏହା ସହିତ ଅଦାଲତ ସମ୍ପୃକ୍ତ ଅଞ୍ଚଳର ଏସପି କିମ୍ବା ଡିସିପିଙ୍କୁ ସ୍ପଷ୍ଟ ନିର୍ଦେଶ ଦେଇଛନ୍ତି ଯେ, ସେମାନେ ନିଜେ ଏହି କୋର୍ଟ ନୋଟିସ୍ ସମ୍ପୃକ୍ତ ଅଧିକାରୀମାନଙ୍କୁ ହସ୍ତାନ୍ତର କରିବେ।
Powered by Froala Editor