ଆଦିବାସୀ ଛାତ୍ରୀ ମୃତ୍ୟୁ ଘଟଣା: ୧୮ରେ ବିଜେଡି ପକ୍ଷରୁ ହେବ ହରତାଳ
ଭୁବନେଶ୍ବର: ମୟୂରଭଞ୍ଜ ଜିଲାର ଏକ ସରକାରୀ ଛାତ୍ରୀ ନିବାସରେ ୧୨ ବର୍ଷୀୟା ଆଦିବାସୀ ଛାତ୍ରୀ ରୁପାଲି ବେସ୍ରାଙ୍କ ମୃତ୍ୟୁ ଘଟଣାରେ ବିଜେଡି ପକ୍ଷରୁ ଗଭୀର ଶୋକ ପ୍ରକାଶ କରାଯାଇଛି। ଦଳ ସଭାପତି ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ଦେଶରେ ବିଜେଡିର ଏକ ପ୍ରତିନିଧି ଦଳ ରାସଗୋବିନ୍ଦପୁର ବ୍ଲକ୍ ନଳାଗଞ୍ଜା ପଞ୍ଚାୟତ ଅଧୀନ ନୁଞ୍ଚାଟି ଗ୍ରାମକୁ ଯାଇ ଶୋକାକୁଳ ପରିବାରକୁ ଭେଟି ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି। ଦଳ ପକ୍ଷରୁ ନ୍ୟାୟିକ ତଦନ୍ତ ଦାବି କରାଯିବା ସହ ଆସନ୍ତା ୧୮ରେ ସକାଳ ୬ରୁ ସନ୍ଧ୍ୟା ୬ ପର୍ଯ୍ୟନ୍ତ ୧୨ ଘଣ୍ଟିଆ ହରତାଳ କରାଯିବ ବୋଲି ମୟୂରଭଞ୍ଜ ଜିଲା ବିଜେଡି ସଭାପତି ସୁଦାମ ମାର୍ଣ୍ଡି କହିଛନ୍ତି। ବିଜେଡି ପକ୍ଷରୁ କୁହାଯାଇଛି, ରୁପାଲି ରହୁଥିବା ଛାତ୍ରୀ ନିବାସରେ ୧୫୦ରୁ ଅଧିକ ପିଲା ପ୍ରଭାବିତ ହୋଇଛନ୍ତି।
ଚଳିତ ମାସ ୧୨ରେ ପଖାଳ, ଶାଗ ଭଜା ଓ ଆଳୁ ଭର୍ତ୍ତା ଆଦି ଖାଦ୍ୟ ସେମାନେ ଖାଇଥିଲେ। ଏହି ପ୍ରତିନିଧି ଦଳ ରାସଗୋବିନ୍ଦପୁର ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ରରେ ଚିକିତ୍ସାଧୀନ ଛାତ୍ରଛାତ୍ରୀଙ୍କ ସହ ମଧ୍ୟ ଆଲୋଚନା କରିଥିଲେ। ବାରିପଦାର ବିଭିନ୍ନ ହସ୍ପିଟାଲରେ ଭର୍ତ୍ତି ଥିବା ରୋଗୀଙ୍କ ସ୍ୱାସ୍ଥ୍ୟାବସ୍ଥା ପଚାରି ବୁଝିଥିଲେ। ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ବିଜେଡି ବିଧାୟକ ଗୌତମବୁଦ୍ଧ ଦାସ ଏହି ଘଟଣାକୁ ଦୃଢ଼ ନିନ୍ଦା କରିଥିବା ସହ ନ୍ୟାୟିକ ତଦନ୍ତ ଦାବି କରିଥିଲେ। ସେହିପରି ପୀଡିତ ପରିବାରକୁ ୫୦ ଲକ୍ଷ ଟଙ୍କା କ୍ଷତିପୂରଣ ପ୍ରଦାନ ପାଇଁ ଦାବି କରାଯାଇଛି।
Powered by Froala Editor