ଦେଶକୁ ନକ୍ସଲମୁକ୍ତ କରିବାକୁ ବଡ଼ ଅପରେସନ ଆରମ୍ଭ
ଆସନ୍ତା ମାସ ୩୧ ମାର୍ଚ୍ଚ ସୁଦ୍ଧା ଦେଶକୁ ନକ୍ସଲମୁକ୍ତ କରିବା ଅଭିଯାନକୁ ଦୃଷ୍ଟିରେ ରଖି, ନକ୍ସଲମାନଙ୍କ ବିରୁଦ୍ଧରେ KGH-2 ନାମରେ ଦ୍ୱିତୀୟ ବଡ଼ ଅପରେସନ ଆରମ୍ଭ ହୋଇଛି । ମୁଖ୍ୟତଃ ଛତିଶଗଡ଼ରେ ଆରମ୍ଭ ହୋଇଥିବା ଏହି ଅପରେସନରେ CRPF, ଛତିଶଗଡ଼ ପୁଲିସ ଏବଂ ଅନ୍ୟାନ୍ୟ ବାହିନୀର ପ୍ରାୟ ୨୦୦୦ କର୍ମଚାରୀ ନିୟୋଜିତ ହୋଇଛନ୍ତି ।
ତେବେ କେବଳ ମାଓବାଦୀଙ୍କୁ ସମୂଳେ ନାଶ କରିଦେଲେ ହେବନାହିଁ, ଆଗକୁ ଏହି ବାମ କଠୋରପନ୍ଥୀ ବିଚାରଧାରା ଯେପରି ମୁଣ୍ଡ ଟେକି ନ ପାରିବ ସେଥିଲାଗି ସମାବେଶୀ ବିକାଶ ସାଙ୍ଗକୁ ପ୍ରଭାବିତ ଅଞ୍ଚଳରେ ସାମାଜିକ-ଅର୍ଥନୈତିକ ସମସ୍ୟାଗୁଡ଼ିକର ସମାଧାନ ଉପରେ ମଧ୍ୟ ଗୁରୁତ୍ୱ ଦେବାକୁ ପଡ଼ିବ ବୋଲି ମତ ପ୍ରକାଶ ପାଇଛି।
ନିଷିଦ୍ଧ ଘୋଷିତ ସିପିଆଇ (ମାଓଇଷ୍ଟ) କେନ୍ଦ୍ରୀୟ କମିଟି (ସିସି)ର ୪ ଶୀର୍ଷ ସଦସ୍ୟ ହେଲେ ଶିଶିର ବେସ୍ରା ଓରଫ୍ ଭାସ୍କର, ଦେବଜୀ ଓରଫ କୁମ୍ଭ ଦାଦା ଓରଫ୍ ଚେତନ୍, ରମନ୍ନା ଓରଫ ଗଣପତି ଓରଫ୍ ଲକ୍ଷ୍ମଣ ରାଓ ଏବଂ ମଲ୍ଲାହ ରାଜା ରେଡ୍ଡୀ ଓରଫ୍ ସାଗର। ଏମାନଙ୍କୁ ଜୀବନ୍ତ ହେଉ କି ମୃତ ଧରିବା ପାଇଁ ସୁରକ୍ଷା ସଂସ୍ଥାଗୁଡ଼ିକ ଲାଗିପଡ଼ିଛନ୍ତି। ଛତିଶଗଡ଼-ତେଲଙ୍ଗାନା ସୀମାରେ ଦେବଜୀ ଓ ତାଙ୍କ ଦ୍ୱିତୀୟ କମାଣ୍ଡ୍ କେସା ସୋଧି ଉପସ୍ଥିତ ଥିବା ନେଇ ମଙ୍ଗଳବାର ଗୋଇନ୍ଦା ସୂଚନା ମିଳିବା ପରେ ସମ୍ପୃକ୍ତ ଅଞ୍ଚଳରେ ଏକ ବଡ଼ ଅପରେଶନ୍ ଆରମ୍ଭ ହୋଇଛି।
ପ୍ରକାଶ ଯେ ଛତିଶଗଡ଼ର ବିଜାପୁର, ସୁକ୍ମା ଓ ନାରାୟଣପୁର ଜିଲାରେ ମାଓବାଦ ସୀମିତ ରହିଥିବା ନେଇ ୨୦୨୫ ଅକ୍ଟୋବରରେ ସ୍ବରାଷ୍ଟ୍ର ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଥିଲା। ଲାଲବାହିନୀ ଦ୍ୱାରା ପ୍ରଭାବିତ ଜିଲା ସଂଖ୍ୟା ୧୮ରୁ ୧୧କୁ ଖସିଆସିଥିବା ମନ୍ତ୍ରଣାଳୟର ଏକ ବିବୃତିରେ ଦାବି କରାଯାଇଥିଲା। ତେଣୁ ନୂଆ ଆର୍ଥିକବର୍ଷ ଆରମ୍ଭ ହେବା ପୂର୍ବରୁ ଭାରତରୁ ମାଓବାଦର ମୂଳୋତ୍ପାଟନ କରିବା ଲକ୍ଷ୍ୟ ନେଇ ଯୁଦ୍ଧକାଳୀନ ଭିତ୍ତିରେ ଅପରେଶନ ଜାରି ରହିଛି।
Powered by Froala Editor