କିନ୍ନରଙ୍କ ପାଇଁ ରାମଗଡ଼ରେ ସ୍ୱତନ୍ତ୍ର ଶୌଚାଳୟ
ସାର୍ବଜନୀନ ସ୍ଥାନରେ କିନ୍ନର ସମୁଦାୟର ଲୋକଙ୍କୁ ହେଉଥିବା ଅସହଜତା ଏବଂ ସେମାନଙ୍କୁ ଭେଦଭାବରୁ ରକ୍ଷା କରିବା ପାଇଁ ଝାଡ଼ଖଣ୍ଡର ରାମଗଡ଼ ଜିଲ୍ଲାରେ ପ୍ରଥମ ଥର କିନ୍ନର ସମୁଦାୟ ଲାଗି ସ୍ୱତନ୍ତ୍ର ଶୌଚାଳୟ ନିର୍ମାଣ କରାଯାଇଛି । ସହରର ୩ଟି ବ୍ୟସ୍ତବହୁଳ ଅଞ୍ଚଳରେ ରାମଗଡ଼ ପ୍ରଶାସନ ଏହି ସ୍ୱତନ୍ତ୍ର ଶୌଚାଳୟ ନିର୍ମାଣ କରାଇଛି । ତାହା ହେଲା ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପରିସର, ସଦର ହସ୍ପିଟାଲ ଏବଂ ବସ୍ଷ୍ଟାଣ୍ଡ । ଏହି ଶୌଚାଳୟରେ ଦିବ୍ୟାଙ୍ଗଙ୍କ ସୁବିଧା ପ୍ରତି ମଧ୍ୟ ଧ୍ୟାନ ଦିଆଯାଇଛି । ସୁଲଭ ଇଣ୍ଟରନ୍ୟାସନାଲକୁ ଶୌଚାଳୟର ପରିଚାଳନା ଦାୟିତ୍ୱ ମିଳିଛି ।
ସୂଚନାଥାଉକି, ଗତବର୍ଷ ରାଞ୍ଚିରେ କିନ୍ନର ସମୁଦାୟ ଭିନ୍ନ ଶୌଚାଳୟ, ଶିକ୍ଷା, ରୋଜଗାର ଏବଂ ସ୍ୱାସ୍ଥ୍ୟ ସୁବିଧା ପ୍ରଦାନ ଦାବିରେ ଶୋଭାଯାତ୍ରା କରିଥିଲେ । ସେମାନଙ୍କ ଦାବିକୁ ସମ୍ମାନ ଜଣାଇ ରାମଗଡ଼ ପ୍ରଶାସନ ଏହି ପଦକ୍ଷେପ ନେଇଛି ।
ରାମଗଡ଼ ଡେପୁଟି କମିଶନର ଫୈୟାଜ ଅହମ୍ମଦ ମୁମତାଜଙ୍କ ଅନୁସାରେ, କିନ୍ନର ସମୁଦାୟଙ୍କୁ ଗରିମାପୂର୍ଣ୍ଣ ଜୀବନ, ସମାନ ଅବସର, ସାମାଜିକ ସୁରକ୍ଷା ପ୍ରଦାନ ଏବଂ ଆତ୍ମନିର୍ଭର କରାଇବାକୁ ପ୍ରଶାସନ ପ୍ରତିବଦ୍ଧ । ‘ଟ୍ରାନ୍ସଜେଣ୍ଡର ଟଏଲେଟ୍’ ଏ ଦିଗରେ ଏକ ମହତ୍ତ୍ୱପୂର୍ଣ୍ଣ ପଦକ୍ଷେପ । ସେହିପରି ରାମଗଡ଼ରେ କିନ୍ନର ସମୁଦାୟ ଦ୍ୱାରା ପରିଚାଳିତ ଏକ ସ୍ୱତନ୍ତ୍ର କାଫେ ଆରମ୍ଭ ହେବ । ତାର ନାମ ରହିବ ‘ଟ୍ରାନ୍ସକାଫେ’ । ୧୦ ଜଣ କିନ୍ନର ତାର ପରିଚାଳନା ଦାୟିତ୍ୱରେ ରହିବେ ।
Powered by Froala Editor