ନୂଆବର୍ଷ ପାଳନ ପାଇଁ ସହରକୁ ଜଗିବ ୧୫ ପ୍ଲାଟୁନ୍ ଫୋର୍ସ
ଭୁବନେଶ୍ୱର: ସୁରକ୍ଷିତ ଜିରୋ ନାଇଟ୍ ସେଲିବ୍ରେସନ ସହ ନୂଆବର୍ଷ ପାଳନ ପାଇଁ ପୁଲିସ ବ୍ଲୁ ପ୍ରିଣ୍ଟ ତିଆରି କରିଛି । ସହରକୁ ୧୫ ପ୍ଲାଟୁନ୍ ଫୋର୍ସ ଜଗିବ । ୩୧ ତାରିଖ ସନ୍ଧ୍ୟା ୭ଟାରୁ ରାତି ୨ଟା ପର୍ୟ୍ୟନ୍ତ ଚେକିଂ ଆଉ ବ୍ଲକିଂ ଚାଲିବ । ମଦ୍ୟପଙ୍କୁ ନିସ୍ତାର ମିଳିବନି । ସହରର ବଛା ବଛା ୧୮ଟି ସ୍ଥାନରେ ଚେକ୍ ପୋଷ୍ଟ (ନାକା) ମଦ୍ୟପମାନଙ୍କୁ ଜଗିବ ପୁଲିସ । ୫ଜଣ ଅତିରିକ୍ତ ଡିସିପି, ୮ଜଣ ଏସିପି, ୩୦ଜଣ ଇନ୍ସପେକ୍ଟର ଓ ୯୬ଜଣ ଏସ୍ଆଇ/ଏଏସଆଇ ଅଧିକାରୀମାନେ ସୁରକ୍ଷା ଦାୟିତ୍ୱ ମୁଣ୍ଡାଇବେ।
ଜିରୋ ନାଇଟ୍ ପାଇଁ ସନ୍ଧ୍ୟା ୭ଟାରୁ ପାଟ୍ରୋଲିଂ ଜୋରଦାର କରାଯିବ । ୩ଜଣ ଅତିରିକ୍ତ ଡିସିପି, ୫ଜଣ ଏସିପି, ୨୪ଜଣ ସବ୍ଇନ୍ସପେକ୍ଟର ଓ ଅତିରିକ୍ତ ସବ୍ଇନ୍ସପେକ୍ଟର ସୁରକ୍ଷାର ତଦାରଖ କରିବେ । ମାଷ୍ଟରକ୍ୟାଣ୍ଟିନ୍, କଳ୍ପନା ଛକ, ଖଣ୍ଡଗିରି ଓ ରସୁଲଗଡ଼ ସହ କିଟ୍ ଛକରେ ୫ଟି କୁଇକ୍ ରେସପନ୍ସ ଟିମ୍ (କ୍ୟୁଆରଟି) ନିୟୋଜିତ ହେବେ । ବାଣୀବିହାର, ମାଷ୍ଟରକ୍ୟାଣ୍ଟିନ ଓ ନାଲ୍କୋ ଛକରେ ୩ଟି ଷ୍ଟ୍ରାଇକିଂ ଫୋର୍ସ ଜଗିବେ । ଯେକୌଣସି ସ୍ଥିତିର ମୁକାବିଲା ପାଇଁ ଏମାନେ ପ୍ରସ୍ତୁତ ରହିବେ।
ନୂଆବର୍ଷରେ ନନ୍ଦନକାନନ, ଡେରାସ, ଝୁମୁକା, ଧଉଳି, ଶ୍ରୀଲିଙ୍ଗରାଜ, ଖଣ୍ଡଗିରି ଓ ଶିଖରଚଣ୍ଡୀ ଭଳି ପର୍ୟ୍ୟଟନସ୍ଥଳୀ ଓ ମନ୍ଦିରରେ ପର୍ୟ୍ୟଟକଙ୍କ ଭିଡ଼ ଜମିବ । ନନ୍ଦନକାନନରେ ୨ ତାରିଖ ଓ ଅନ୍ୟ ପର୍ୟ୍ୟଟନସ୍ଥଳୀରେ ୫ ତାରିଖ ଯାଏଁ ପୁଲିସ ଫୋର୍ସ ମୁତୟନ କରାଯିବ ।
Powered by Froala Editor