ନାଇଟକ୍ଲବରେ ନିଆଁ, ୨୫ ଜଣଙ୍କ ପ୍ରାଣହାନୀ
ଗୋଆର ଆରପୋରାରେ ଥିବା ଏକ ନାଇଟକ୍ଲବ ‘ବାର୍ଚ୍ ବାଇ ରୋମିଓ ଲେନ’ରେ ହୋଇଥିବା ମର୍ମନ୍ତୁଦ ଅଗ୍ନିକାଣ୍ଡର ଭୟାବହ ଭିଡିଓ ସାମ୍ନାକୁ ଆସିଛି। ଏହି ଭିଡିଓଟି ଅଗ୍ନିକାଣ୍ଡ ଘଟିବା ସମୟର କୁହାଯାଉଛି। ଏହି ଘଟଣାରେ ୨୫ ଜଣଙ୍କ ପ୍ରାଣହାନୀ ଘଟିଛି। ଗ୍ୟାସ ସିଲିଣ୍ଡର ବିସ୍ଫୋରଣ ଯୋଗୁ ଏହି ଅଗ୍ନିକାଣ୍ଡ ଘଟିଥିଲା। ପ୍ରୋଗ୍ରାମ ଚାଲିଥିବା ସମୟରେ ଅଗ୍ନିକାଣ୍ଡ ଘଟିଥିବା ବେଳେ ଏହାର ଭିଡିଓ ଏବେ ସାମ୍ନାକୁ ଆସିଛି। ନୃତ୍ୟ ଚାଲିଥିବାବେଳେ କିପରି ନିଆଁ ଲାଗିଲା ତାହାର ଦୃଶ୍ୟ ସାମାଜିକ ଗଣମାଧ୍ୟମରେ ପ୍ରଘଟ ହେଉଛି।
ଭିଡିଓରେ ସ୍ପଷ୍ଟ ଭାବେ ଦେଖିବାକୁ ମିଳୁଛି ଜଣେ ବେଲି ଡ୍ୟାନ୍ସର ବଲିଉଡ ଗୀତ ‘ମେହେବୁବା.. ମେହେବୁବା’ ଗୀତରେ ନୃତ୍ୟ କରୁଥିବା ସମୟରେ ଛାତ ଉପରେ କିଛି ନିଆଁ ଝିଟିକା ନଜର ଆସିଥିଲା। କେହି କିଛି ବୁଝିବା ପୂର୍ବରୁ ସଙ୍ଗେସଙ୍ଗେ ଘଟଣାସ୍ଥଳ ଏକ ନିଆଁ ପିଣ୍ଡୁଳାର ଆକାର ନେଇଥିଲା। ସଙ୍ଗେସଙ୍ଗେ କାର୍ଯ୍ୟକ୍ରମକୁ ଅଧାରୁ ଅଟକାଇ ଦିଆଯାଇଥିଲା। ଏହି ଭିଡିଓଟି ସୋସିଆଲ ମିଡିଆରେ ଭାଇରାଲ ହୋଇଥିବା ବେଳେ ପୁଲିସ ଏଯାବତ ଭିଡିଓକୁ ନେଇ କୌଣସି ପ୍ରକାର ସ୍ପଷ୍ଟୀକରଣ ଦେଇ ନାହିଁ।
ଯଦି ସେହି ସମୟରେ ତୁରନ୍ତ ଦର୍ଶକ ଓ କଳାକାରମାନେ ସେଠାରୁ ବାହାରି ଯାଇଥାଆନ୍ତେ, ତେବେ ଜୀବନ ବଞ୍ଚି ଯାଇଥାଆନ୍ତା। କିନ୍ତୁ ସେଠାରୁ ବାହାରିବାରେ ବିଳମ୍ବ ହୋଇଥିବା ଭିଡିଓରୁ ଜଣାପଡ଼ିଛି। ଅଣନିଃଶ୍ଵାସୀ ହୋଇ ଏକାଧିକ ଲୋକ ପ୍ରାଣ ହରାଇଥିବା ଜଣାପଡ଼ିଛି।
ମୃତକଙ୍କ ମଧ୍ୟରେ ଚାରି ଜଣ ପର୍ଯ୍ୟଟକ ଏବଂ ୧୪ ଜଣ କର୍ମଚାରୀ ଅଛନ୍ତି, ଯେତେବେଳେ କି ସାତ ଜଣଙ୍କ ମୃତଦେହ ଏପର୍ଯ୍ୟନ୍ତ ଚିହ୍ନଟ ହୋଇନାହିଁ। ଏହି ଭୟଙ୍କର ଘଟଣା ପରେ ପୁଲିସ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି କ୍ଲବର ସାଧାରଣ ପରିଚାଳକ (ଜେନେରାଲ ମ୍ୟାନେଜର), ରେସ୍ତୋରାଁ ମ୍ୟାନେଜର, ବାର ମ୍ୟାନେଜର, ଗେଟ୍ ମ୍ୟାନେଜରଙ୍କୁ ଗିରଫ କରିଛି।
Powered by Froala Editor