ମଣ୍ଡି ଖୋଲିବାର ନିର୍ଦ୍ଧାରିତ ସମୟରୁ ବିତିଗଲାଣି ୨୫ଦିନ, ଏଯାଏଁ ଚାଷୀଙ୍କ ପାଖରେ ପହଞ୍ଚି ନାହିଁ ଟୋକନ
ଭୁବନେଶ୍ବର: ପଶ୍ଚିମ ଓ ଦକ୍ଷିଣ ଓଡ଼ିଶାର ବିଭିନ୍ନ ଜିଲାରେ ୨୫%ରୁ ଊର୍ଦ୍ଧ୍ବ ଧାନ ଅମଳ ସରିଲାଣି; କିନ୍ତୁ ଏପର୍ଯ୍ୟନ୍ତ ମଣ୍ଡି ଖୋଲିନାହାନ୍ତି ରାଜ୍ୟ ସରକାର। ସାଧାରଣତଃ ସରକାର ବରଗଡ଼ ଜିଲାରେ ପ୍ରଥମେ ମଣ୍ଡି ଖୋଲି ଚାଷୀଙ୍କ ପାଖରୁ ଧାନ ସଂଗ୍ରହ ଆରମ୍ଭ କରିଥାନ୍ତି। କିନ୍ତୁ ଚଳିତ ବର୍ଷ ଅହେତୁକ ବିଳମ୍ବ ଘଟିଲାଣି। ମଣ୍ଡି ଖୋଲିବାର ନିର୍ଦ୍ଧାରିତ ସମୟରୁ ୨୫ଦିନ ବିତିଗଲାଣି। ରାଜ୍ୟ ସରକାର ୨୦୨୫ ନଭେମ୍ବର ୧ରୁ ୨୦୨୬ ମାର୍ଚ୍ଚ ୩୧ ପର୍ଯ୍ୟନ୍ତ ମଣ୍ଡିରେ ଧାନ କିଣିବାକୁ ପୂର୍ବରୁ ସମୟ ନିର୍ଦ୍ଧାରଣ କରିଥିଲେ। ଧାନ କିଣା ପାଇଁ ତାରିଖ ପରେ ତାରିଖ ଗଡ଼ୁଛି। ଅନ୍ୟ ଏକ ଗୁରୁତର ପ୍ରସଙ୍ଗ ହେଲା ଏପର୍ଯ୍ୟନ୍ତ ଟୋକନ ପହଞ୍ଚି ନଥିବା ଚାଷୀ ଅଭିଯୋଗ କରିଛନ୍ତି।
ସମବାୟ ମନ୍ତ୍ରୀ ପ୍ରଦୀପ ବଳସାମନ୍ତ ପ୍ରଥମେ କହିଥିଲେ ଯେ, ନଭେମ୍ବର ୨୦ରୁ ବରଗଡ଼ ଜିଲାରୁ ଧାନ କିଣାଯିବ। ହେଲେ ତାହା ହେଲା ନାହିଁ। ପରେ ସେ କହିଲେ, ୨୦ରୁ ନୁହେଁ, ୨୫ତାରିଖରୁ ଧାନ କିଣାଯିବ। ୨୫ ତାରିଖ ନୁହେଁ, ଆସନ୍ତା ୨୮ତାରିଖରୁ ସରକାର ବରଗଡ଼ ଏବଂ ସମ୍ବଲପୁର ଜିଲାରୁ ଧାନ କିଣିବାକୁ ଯୋଜନା କରିଥିବା ସମବାୟ ବିଭାଗ ପକ୍ଷରୁ ଜଣାପଡ଼ିଛି। ମଣ୍ଡି ଖୋଲିବା ନେଇ ମନ୍ତ୍ରୀଙ୍କ ଘୋଷଣାରେ ତାଳମେଳ ରହୁ ନାହିଁ। ୨୦୨୪ ମସିହାରେ ବରଗଡ଼ ଜିଲାରେ ନଭେମ୍ବର ୭ରେ ମଣ୍ଡି ଖୋଲିଥିଲା।
୨୦୨୩ରେ ନଭେମ୍ବର ୨୫ରେ ଏବଂ ୨୦୨୨ରେ ନଭେମ୍ବର ୯ରେ ଜିଲାରୁ ଧାନ କିଣା ଆରମ୍ଭ ହୋଇଥିଲା। ବର୍ତ୍ତମାନ ସ୍ଥିତିରେ ଉତ୍ତର ଏବଂ ଉପକୂଳବର୍ତ୍ତୀ ଜିଲାଗୁଡ଼ିକୁ ଛାଡ଼ିଦେଲେ ବରଗଡ଼, ସମ୍ବଲପୁର, ସୁବର୍ଣ୍ଣପୁର, ବୌଦ୍ଧ, ବଲାଙ୍ଗିର, କଳାହାଣ୍ଡି, ଝାରସୁଗୁଡ଼ା, ସୁନ୍ଦରଗଡ଼, ନବରଙ୍ଗପୁର, ନୂଆପଡ଼ା, କୋରାପୁଟ, ମାଲକାନଗିରି, ରାୟଗଡ଼ା, ଗଜପତି ଆଦି ଜିଲାର ଚାଷୀ କ୍ଷେତରୁ ଧାନ ଅମଳ କରି ରଖିଲେଣି। ବରଗଡ଼ ଜିଲାର ପ୍ରାୟ ୩୦% ଚାଷୀ ମଣ୍ଡିରେ ଧାନ ରଖିଲେଣି। ମଣ୍ଡିରେ ବସ୍ତାବସ୍ତା ଧାନ ଥୁଆ ହୋଇଥିବା ବେଳେ ରାଜ୍ୟ ସରକାର ତାରିଖ ପରେ ତାରିଖ ଗଡ଼ାଇ ଚାଲିଛନ୍ତି। ଅନୁରୂପ ଭାବେ ସମ୍ବଲପୁର ଜିଲାର ଚାଷୀ ମଣ୍ଡିକୁ ଧାନ ନେବା ଆରମ୍ଭ କଲେଣି। କେବଳ ଅପେକ୍ଷା ସରକାର କେବେ ମଣ୍ଡି ଉଦ୍ଘାଟନ କରି ଧାନ ସଂଗ୍ରହ କରୁଛନ୍ତି।
Powered by Froala Editor