‘ଜନଶକ୍ତି ଜନତା ଦଳ’ ଗଢ଼ିଲେ ତେଜପ୍ରତାପ
ବିହାରରେ ବିଧାନସଭା ନିର୍ବାଚନ ଅନୁଷ୍ଠିତ ହେବାକୁ ଯାଉଛି। ଏହି ପରିପ୍ରେକ୍ଷୀରେ ଆରଜେଡି ସୁପ୍ରିମୋ ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ଲାଲୁ ପ୍ରସାଦ ଯାଦବଙ୍କ ଜ୍ୟେଷ୍ଠ ପୁତ୍ର ତେଜପ୍ରତାପ ଏକ ନୂଆ ଦଳ ଗଠନ କରିଛନ୍ତି। ଏହି ଦଳର ନାମ ‘ଜନଶକ୍ତି ଜନତା ଦଳ’ ରଖାଯାଇଛି। ନିର୍ବାଚନ ଚିହ୍ନ ଭାବେ ଦଳକୁ ‘ବ୍ଲାକବୋର୍ଡ’ ମିଳିଛି। ତେବେ ତେଜ ପ୍ରତାପ ଯାଦବ ତାଙ୍କ ଦ୍ୱାରା ଲଞ୍ଚ କରାଯାଇଥିବା ଦଳର ପୋଷ୍ଟରରେ ପାଞ୍ଚ ଜଣ ମହାପୁରୁଷ ଏବଂ ନେତାଙ୍କୁ ସାମିଲ କରିଥିଲେ।
ପୋଷ୍ଟରରେ ମହାତ୍ମା ଗାନ୍ଧୀ, ବି,ଆର.ଆମ୍ବେଦକର, ରାମମନୋହର ଲୋହିଆ, ଜୟପ୍ରକାଶ ନାରାୟଣ ଏବଂ ବିହାରର ପୂର୍ବତନ ମୁଖ୍ୟମନ୍ତ୍ରୀ କର୍ପୂରୀ ଠାକୁରଙ୍କ ଫଟୋକୁ ସ୍ଥାନିତ କରାଯାଇଛି। ବିହାରରେ ସାମାଜିକ ନ୍ୟାୟ, ସାମାଜିକ ଅଧିକାର ଏବଂ ସାମଗ୍ରିକ ପରିବର୍ତ୍ତନ ପାଇଁ ତାଙ୍କ ଦଳ ଗୁରୁତ୍ବ ଦେଉଥିବା ତେଜପ୍ରତାପ କହିଛନ୍ତି।
ତେବେ ବାପାଙ୍କ ଫଟୋ କାହିଁକି ସ୍ଥାନ ଦେଇନଥିଲେ ବୋଲି ଚର୍ଚ୍ଚା ଜୋର ଧରିବା ପରେ ତେଜ ପ୍ରତାପ କହିଥିଲେ, "ମୋ ବାପାମାଆ ଏକ ଭିନ୍ନ ରାଜନୈତିକ ଦଳର। ମୁଁ ମୋ ଦଳର ପୋଷ୍ଟରରେ ସେମାନଙ୍କ ଫଟୋ କିପରି ଲଗାଇପାରିବି? ସେମାନେ ଆରଜେଡିରେ ଅଛନ୍ତି। ଏହା ମୋ ଦଳର ସମ୍ବିଧାନ ଅନୁଯାୟୀ ନୁହେଁ। ଦଳୀୟ ନେତାଙ୍କ ଫଟୋ ଲଗାଯାଇଛି।"
ସୂଚନାଯୋଗ୍ୟ ଦଳ ବିରୋଧୀ କାର୍ଯ୍ୟ ଯୋଗୁଁ ଚଳିତବର୍ଷ ମେ‘ ୨୫ରେ ତେଜପ୍ରତାପଙ୍କୁ ୬ ବର୍ଷ ପାଇଁ ଆରଜେଡିରୁ ନିଲମ୍ବନ କରାଯାଇଛି।
Powered by Froala Editor