‘ଆଇ ଲଭ୍ ମହମ୍ମଦ’ ପୋଷ୍ଟରକୁ ନେଇ ହିଂସା, ମୌଲାନା ତୌକିର ରଜା ଗିରଫ
ଉତ୍ତରପ୍ରଦେଶର ବରେଲୀରେ ‘ଆଇ ଲଭ୍ ମହମ୍ମଦ’ ପୋଷ୍ଟରକୁ ନେଇ ଘଟିଥିବା ହିଂସାର ମାଷ୍ଟର ମାଇଣ୍ଡ ମୌଲାନା ତକୀର ରାଜାଙ୍କୁ ଗିରଫ କରିଛି ପୁଲିସ। ଏହି ଘଟଣା ପରେ ପୁଲିସ ଦଙ୍ଗାର ମାଷ୍ଟରମାଇଣ୍ଡ ମୌଲାନା ତୌକିର ରଜାଙ୍କ ସମେତ ୮ଜଣଙ୍କୁ ଗିରଫ କରିଛି। ଏହା ସହ ୨୪ରୁ ଅଧିକ ଲୋକଙ୍କୁ ଅଟକ ରଖାଯାଇଛି ଏବଂ ୨ହଜାର ଅଜ୍ଞାତ ଅଭିଯୁକ୍ତଙ୍କ ବିରୋଧରେ ମାମଲା ରୁଜୁ କରାଯାଇଛି।
ସୂଚନା ଅନୁସାରେ, ଆଇ ଲଭ ମହମ୍ମଦ ପୋଷ୍ଟରକୁ ନେଇ କାନପୁର ଏବଂ ବରେଲୀରେ ମୁସଲମାନ ସମ୍ପ୍ରଦାୟ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଥିଲା। ବିଭିନ୍ନ ସ୍ଥାନରେ ଏହି ପୋଷ୍ଟର ମରାଯିବାରୁ ଏହାକୁ ବିରୋଧ କରି ତକୀର ରାଜା ଅନଶନ କରିବାକୁ ଧମକ ଦେଇଥିଲେ। ଏହା ପରେ ହଜାର ହଜାର ମୁସଲମାନ ତାଙ୍କୁ ସମର୍ଥନ କରି ତାଙ୍କ ଘର ନିକଟରେ ପହଞ୍ଚିଥିଲେ। ପରେ ସେମାନେ ଏକ ଶେଭାଯାତ୍ରା କରିଥିଲେ। ଏହି ଅବସରରେ ବିକ୍ଷୋଭକାରୀ ପୁଲିସ ଉପରକୁ ପଥର ମାଡ଼ କରିଥିଲେ। ଯାହାଫଳରେ ହିଂସା ସୃଷ୍ଟି ହୋଇଥିଲା ଏବଂ ପୁଲିସକୁ ଲାଠି ମାଡ଼ କରିବାକୁ ପଡ଼ିଥିଲା। ସୂଚନା ମିଳିଛି ଯେ, ଦଙ୍ଗାରେ ୧୭ଜଣ ପୁଲିସ କର୍ମଚାରୀ ଏବଂ ୪୦ରୁ ଅଧିକ ଲୋକ ଆହତ ହୋଇଛନ୍ତି। ପୁଲିସ ଏପର୍ଯ୍ୟନ୍ତ ୨୦୦ରୁ ଅଧିକ ସିସିଟିଭି ଫୁଟେଜ୍ ଯାଞ୍ଚ କରିଛି।
ଏହି ଫୁଟେଜ୍ ଆଧାରରେ, ଅନ୍ୟ ଅଭିଯୁକ୍ତମାନଙ୍କୁ ଚିହ୍ନଟ କରିବାକୁ ପ୍ରୟାସ କରାଯାଉଛି। ପୁଲିସର ସୂଚନା ମୁତାବକ, ସହରର ତିନି କିମ୍ବା ୪ଟି ସ୍ଥାନରେ ଏକକାଳୀନ ଦଙ୍ଗା ହୋଇଥିଲା। ଦଙ୍ଗାକାରୀମାନେ ଗୁଳିଚାଳନା କରିବା ସହ ପଥର ଫିଙ୍ଗିଥିଲେ। ପୁଲିସ ଏବେ ଏପରି ବ୍ୟକ୍ତିବିଶେଷଙ୍କ ବିରୋଧରେ କଠୋର ଆଭିମୁଖ୍ୟ ଗ୍ରହଣ କରୁଛି।
Powered by Froala Editor