ସୋଶାଲ ମିଡିଆ ବ୍ୟାନକୁ ନେଇ ସଂସଦ ଭିତରକୁ ଧସେଇ ପଶିଲେ : ପୁଲିସ-ଜନତା ହିଂସାରେ ୨୦ ମୃତ
ଫେସବୁକ, ଏକ୍ସ, ହ୍ୱାଟସଆପ ଓ ୟୁଟ୍ୟୁବ ଭଳି ୨୬ଟି ସୋଶାଲ ମିଡିଆ ପ୍ଲାଟଫର୍ମକୁ ବ୍ୟାନ କରିଛନ୍ତି ନେପାଳ ସରକାର। କାଠମାଣ୍ଡୁରେ କେପି ଓଲି ଶର୍ମା ସରକାର ବିରୋଧରେ ଏକାଠି ହୋଇଛନ୍ତି ହଜାର ହଜାର ଯୁବକ/ଯୁବତୀ। ସୋମବାର ଅପରାହ୍ନରେ ବିକ୍ଷୋଭକାରୀମାନେ ସଂସଦ ଭିତରକୁ ଧସେଇ ପଶିଥିବା ଜଣାପଡ଼ିଛି। ବହୁ ସୁରକ୍ଷାକର୍ମୀ ମୁତୟନ ହୋଇଥିଲେ ହେଁ ବିକ୍ଷୋଭକାରୀଙ୍କୁ ଅଟକାଇବାରେ ସେମାନେ ବିଫଳ ହୋଇଛନ୍ତି।
କାଠମାଣ୍ଡୁର ବିଭିନ୍ନ ସ୍ଥାନରେ ପୁଲିସ୍ ଓ ବିକ୍ଷୋଭକାରୀଙ୍କ ମଧ୍ୟରେ ଖଣ୍ଡଯୁଦ୍ଧ ଦେଖିବାକୁ ମିଳିଛି। ଧସ୍ତାଧସ୍ତି ଯୋଗୁ ପୁଲିସ୍ ବିକ୍ଷୋଭକାରୀଙ୍କ ଉପରେ ଲାଠିଚାର୍ଜ କରିଛି। ସେହିପରି ଲୁହବୁହା ଗ୍ୟାସ ମଧ୍ୟ ପ୍ରୟୋଗ କରାଯାଇଛି। କିଛି ସ୍ଥାନରେ ପୁଲିସ୍ ପକ୍ଷରୁ ଗୁଳି ଚଳା ଯାଇଥିବାର ଖବର ମିଳିଛି। ନେପାଳରେ ସୃଷ୍ଟି ହୋଇଥିବା ପୁଲିସ-ଜନତା ହିଂସାରେ ମୃତ୍ୟୁ ସଂଖ୍ୟା ୨୦କୁ ବୃଦ୍ଧି ପାଇଛି। ପୁଲିସ ଗୁଳିରେ ସେମାନଙ୍କ ମୃତ୍ୟୁ ଘଟିଥିବାବେଳେ ୧୦୦ରୁ ଅଧିକ ଆହତ ହୋଇଛନ୍ତି।
ତଥାପି ସ୍ଥିତିରେ ସୁଧାର ନ ଆସିବାରୁ କାଠମାଣ୍ଡୁ ସମେତ ବିକ୍ଷୋଭ ସ୍ଥାନରେ ପ୍ରଶାସନ ପକ୍ଷରୁ କର୍ଫ୍ୟୁ ଲାଗୁ କରାଯାଇଛି। ବାନେଶ୍ୱରର ଆଖପାଖ ଅଞ୍ଚଳରେ ପୁଲିସ୍ ଓ ବିକ୍ଷୋଭକାରୀ ମଧ୍ୟ ସଂଘର୍ଷ ଘଟିବାରୁ କାଠମାଣ୍ଡୁ ପ୍ରଶାସନ ଏପରି ପଦକ୍ଷେପ ନେଇଛନ୍ତି।
Powered by Froala Editor