ଏସି ଫାଟି ଗୋଟିଏ ପରିବାରର ୩ ସଦସ୍ୟଙ୍କ ମୃତ୍ୟୁ
ହରିୟାଣାର ଫରିଦାବାଦର ଗ୍ରୀନ ଫିଲ୍ଡ କଲୋନିରେ ଏକ ଦୁଃଖଦ ଘଟଣା ଘଟିଛି। ରବିବାର ବିଳମ୍ବିତ ରାତିରେ ଗ୍ରୀନ୍ ଫିଲ୍ଡ କଲୋନୀ ସ୍ଥିତ ଏକ ଘରେ ପ୍ରଥମ ମହଲାରେ ଏସି ଫାଟିବା ପରେ ନିଆଁ ଲାଗି ଗୋଟିଏ ପରିବାରର ୩ ସଦସ୍ୟଙ୍କ ମୃତ୍ୟୁ ହୋଇଛି । ଏପରିକି ପୋଷା କୁୁକୁରର ମଧ୍ୟ ଏଥିରେ ମୃତ୍ୟୁ ଘଟିଛି ।
ସୋମବାର ଭୋର ୩ଟାରେ ଏହି ଦୁର୍ଘଟଣା ଘଟିଛି। ଏହି ସମୟରେ ସମଗ୍ର ପରିବାର ନିଜ ନିଜ ରୁମ୍ରେ ଶୋଇଥିଲେ। ପ୍ରଥମ ମହଲାରେ ନିଆଁ ଲାଗିବାରୁ ଧୂଆଁ ସିଧାସଳଖ ଦ୍ୱିତୀୟ ମହଲାକୁ ପହଞ୍ଚିଥିଲା। ଧୂଆଁ ଯୋଗୁ ରୁମ୍ରେ ନିଶ୍ୱାସ ନେବା କଷ୍ଟକର ହୋଇପଡୁଥିଲା ଏବଂ ଧୀରେ ଧୀରେ ସ୍ବାମୀ, ସ୍ତ୍ରୀ ଏବଂ ସେମାନଙ୍କ ଝିଅ ଶ୍ୱାସରୁଦ୍ଧ ହୋଇ ମୃତ୍ୟୁବରଣ କରିଥିଲେ।
ଘଟଣା ସମ୍ପର୍କରେ ସୂଚନା ପାଇବା ପରେ ସ୍ଥାନୀୟ ଲୋକମାନେ ତୁରନ୍ତ ପୋଲିସ ଏବଂ ଅଗ୍ନିଶମ ବିଭାଗକୁ ସୂଚନା ଦେଇଥିଲେ। ଗ୍ରୀନ ଫିଲ୍ଡ କଲୋନି ଚୌକି ପୋଲିସ ଘଟଣାସ୍ଥଳେ ପହଞ୍ଚି ମୃତଦେହଗୁଡ଼ିକୁ ହେପାଜତକୁ ନେଇ ପୋଷ୍ଟମର୍ଟମ ପାଇଁ ସିଭିଲ ହସ୍ପିଟାଲର ଶବାଗାରରେ ରଖିଛି।
ପ୍ରତ୍ୟକ୍ଷଦର୍ଶୀଙ୍କ କହିବାନୁସାରେ ରାତିରେ ହଠାତ୍ ଖୁବ୍ ଜୋରରେ ଶବ୍ଦ ହୋଇଥିଲା । ଏହାପରେ ଘରୁ ପ୍ରବଳ ଧୂଆଁ ଓ ନିଆଁ ଦେଖାଯାଇଥିଲା । ଖବର ପାଇ ଅଗ୍ନିଶମ କର୍ମଚାରୀ ପହଞ୍ଚିଲା ବେଳକୁ ସମ୍ପୂର୍ଣ୍ଣ ଘର ନିଆଁରେ ଜଳି ଧୂଆଁମୟ ହୋଇଯାଇଥିଲା । ଶ୍ୱାସରୁଦ୍ଧ ହୋଇ ପରିବାରର ୩ ସଦସ୍ୟଙ୍କ ମୃତ୍ୟୁ ହୋଇଥିଲା । ପୁଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଜବତ କରିବା ସହ ତଦନ୍ତ ଜାରି ରଖିଛି ।
Powered by Froala Editor