ଏସ୍ସିବିରେ ଆରମ୍ଭ ହେବ ଅସ୍ଥିମଜ୍ଜା ପ୍ରତିରୋପଣ

କଟକ :ଶ୍ରୀରାମଚନ୍ଦ୍ର ଭଞ୍ଜ ଭେଷଜ ମହାବିଦ୍ୟାଳୟ ଓ ଚିକିତ୍ସାଳୟ(ଏସ୍ସିବି ଏମ୍ସିଏଚ୍)ରେ ଖୁବ୍ ଶୀଘ୍ର ଆରମ୍ଭ ହେବ ଅସ୍ଥିମଜ୍ଜା ପ୍ରତିରୋପଣ। ପ୍ରତିରୋପଣ ପାଇଁ ଜଣେ ଅବସରପ୍ରାପ୍ତ ବିଶେଷଜ୍ଞଙ୍କ ନେତୃତ୍ୱରେ ଏହା ପୁନଃ ଆରମ୍ଭ ହେବ ବୋଲି ଜଣାପଡ଼ିଛି। ରକ୍ତ କର୍କଟ ରୋଗୀଙ୍କ ଚିକିତ୍ସା କ୍ଷେତ୍ରରେ କଟକ ବଡ଼ ଡାକ୍ତରଖାନା ରକ୍ତ ରୋଗ ବିଭାଗ ଉପଲବ୍ଧି ଅର୍ଜନ କରିଥିବା ବେଳେ ବିଶେଷଜ୍ଞ ଡାକ୍ତରଙ୍କ ଅଭାବ କାରଣରୁ ପାଞ୍ଚମାସ ହେବ ଏଠାରେ ଏହି ସେବା ପାଇବାରୁ ରୋଗୀ ବଞ୍ଚିତ ହେଉଛନ୍ତି। ତେବେ ଏହାକୁ ପୁଣି କାର୍ଯ୍ୟକ୍ଷମ କରିବା ନେଇ ଡାକ୍ତରଖାନା କର୍ତ୍ତୃପକ୍ଷ ପ୍ରସ୍ତୁତି କରିଛନ୍ତି। ମିଳିଥିବା ସୂଚନା ମୁତବାକ ଫେବୃଆରୀ ମାସରୁ କଟକ ବଡ଼ ଡାକ୍ତରଖାନାରେ ଅସ୍ଥିମଜ୍ଜା ପ୍ରତିରୋପଣ ବନ୍ଦ ହୋଇଯାଇଥିଲା। ଏହା ଏକ ବ୍ୟୟ ବହୁଳ ଚିକିତ୍ସା ହୋଇଥିବାରୁ ଏଥିପାଇଁ ଅନେକ ରୋଗୀ ଅପେକ୍ଷା କରି ରହିଛନ୍ତି। ଏଥିପାଇଁ ଘରୋଇ ଡାକ୍ତରଖାନାଗୁଡ଼ିକରେ ୩୦ରୁ ୪୦ ଲକ୍ଷ ଟଙ୍କା ଖର୍ଚ୍ଚ କରିବାକୁ ପଡ଼ିଥାଏ। ମାତ୍ର ରାଜ୍ୟ ସରକାରଙ୍କ ଉଦ୍ୟମ କ୍ରମେ କଟକ ବଡ଼ ଡାକ୍ତରଖାନାରେ ୨୦୧୪ ଫେବୃଆରୀ ୨୬ରେ ରକ୍ତରୋଗ ବିଭାଗରେ ଅସ୍ଥିମଜ୍ଜା ପ୍ରତିରୋପଣ ୟୁନିଟ୍ କାର୍ଯ୍ୟକାରୀ ହୋଇଥିଲା। ପ୍ରଥମ କରି ୨୦୧୪ ଏପ୍ରିଲ ୨୩ରେ ଅସ୍ଥିମଜ୍ଜା ପ୍ରତିରୋପଣ ସଫଳତାର ସହିତ କରାଯାଇଥିଲା। ସେହିପରି ଶେଷ ଥର ପାଇଁ ଏକ ଶିଶୁ ଠାରେ ଅଲୋଜନି ଅସ୍ଥିମଜ୍ଜା ପ୍ରତିରୋପଣ କରାଯାଇଥିଲା। ହେଲେ ବିଶେଷଜ୍ଞ ଡାକ୍ତରଙ୍କ ଅଭାବ କାରଣରୁ ଏହି ଚିକିତ୍ସା ସୁବିଧା ବର୍ତ୍ତମାନ ବନ୍ଦ ହୋଇ ପଡ଼ିଛି। ଶୀଘ୍ର ନୂତନ ଡାକ୍ତର ନିଯୁକ୍ତି କ୍ଷେତ୍ରରେ ସ୍ବାସ୍ଥ୍ୟ ବିଭାଗ ପଦକ୍ଷେପ ନେବା ପାଇଁ ରୋଗୀ ଓ ସମ୍ପର୍କୀୟ ମାନେ ଦାବି କରିଥିଲେ। ଏହି ବ୍ୟବଧାନ ପୂରଣ କରିବା ପାଇଁ ସରକାର ଏମ୍ସ ଅବସରପ୍ରାପ୍ତ ହେମାଟୋଲୋଜି ବିଶେଷଜ୍ଞ ଡା. ପ୍ରବୋଧ କୁମାର ଦାସଙ୍କୁ ନିଯୁକ୍ତି ଦେଇଛନ୍ତି। ସେ ଏସ୍ସିବିରେ ପରାମର୍ଶଦାତା ଭାବରେ କାର୍ଯ୍ୟ କରିବାକୁ ରାଜି ହୋଇଛନ୍ତି।
Powered by Froala Editor