‘ଅନୁପମା’ର ସେଟ୍ରେ ଅଗ୍ନିକାଣ୍ଡ

ଲୋକପ୍ରିୟ ଟିଭି ଶୋ’ ‘ଅନୁପମା’ର ସେଟ୍ରେ ବଡ ଧରଣର ଅଗ୍ନିକାଣ୍ଡ ଘଟିଛି । ସୋମବାର ଅର୍ଥାତ୍ ଜୁନ୍ ୨୩ରେ ଭୋର ପ୍ରାୟ ୫ଟାରେ ଏହି ନିଆଁ ଲାଗି ଥିବା ବେଳେ ସୁଟିଙ୍ଗ୍ ଆରମ୍ଭ ହେବାର ୨ ଘଣ୍ଟା ପୂର୍ବରୁ ସେଟ୍ଟି ସମ୍ପୂର୍ଣ୍ଣ ଜଳି ପୋଡି ପାଉଁଶ ହୋଇଯାଇଛି । ଘଟଣା ପରେ, ଅଲ୍ ଇଣ୍ଡିଆନ୍ ସିନେ ୱାର୍କର୍ସ ଆସୋସିଏସନ୍ (ଏଆଇସିଡବ୍ଲ୍ୟୁଏ) ଏକ ବିବୃତ୍ତି ଜାରି କରି ଅବହେଳାକୁ ନିନ୍ଦା କରିଛି ଏବଂ ଉଚ୍ଚସ୍ତରୀୟ ତଦନ୍ତ ଦାବି କରିଛି। ଏଆଇସିଡବ୍ଲ୍ୟୁଏ ସମସ୍ତ ସୁଟିଂ ସ୍ଥାନରେ ଅଗ୍ନିକାଣ୍ଡ ଭଳି ପରିସ୍ଥିତିର ମୁକାବିଲା ପାଇଁ ଦୃଢ଼ ସୁରକ୍ଷା ବ୍ୟବସ୍ଥା ଉପରେ ଜୋର ଦେଉଛି।
ଏହି ଅଘଟଣ ଘଟିବା ସମୟରେ ଅନେକ କର୍ମଚାରୀ ସୁଟିଙ୍ଗ୍ର ଆରମ୍ଭର ପୂର୍ବ ପ୍ରସ୍ତୁତି କରୁଥିଲେ । ସୌଭାଗ୍ୟବଶତଃ କୌଣସି କର୍ମଚାରୀ ଆହତ ହୋଇନଥିବା ପ୍ରାଥମିକ ତଦନ୍ତରୁ ଜଣାପଡିଛି । ମାତ୍ର ଅନେକ ପରିମାଣରେ ଜିନିଷପତ୍ର ପୋଡିଯିବାରୁ ଲକ୍ଷାଧିକ ଟଙ୍କାର କ୍ଷୟକ୍ଷତି ହୋଇଛି ।
ସୂଚନା ଅନୁଯାୟୀ, ଅନୁପମା ଘର ଘରେ ପରିଚିତ ଏକ ଲୋକପ୍ରିୟ ଶୋ । ଏଥିରେ ଅଭିନେତ୍ରୀ ରୂପା ଗାଙ୍ଗୁଲୀଙ୍କ ଅଭିନୟର ଯାଦୁ ଯୋଗୁଁ ଆଜିଯାଏ ଶୋ ଲୋକପ୍ରିୟତା ବଢିଚାଲିଛି । କିନ୍ତୁ ଏହି ଅଘଟଣ ପରେ ଶୋ କିଛି ଦିନ ଯାଏ ବାତିଲ କରାଯିବ ନା ପୂର୍ବ ଏପିସୋଡ ପ୍ରସାରଣ ହେବ ତାହା ସୂଚନା ମିଳିନାହିଁ ।
Powered by Froala Editor