ଟିକାପ୍ରସ୍ତୁତି କ୍ଷମତାକୁ ତ୍ୱରାନ୍ୱିତ କରିବା ଲାଗି ବୈଷୟିକ ବ୍ୟବସ୍ଥାରେ ପରିବର୍ତ୍ତନ

ନୂଆଦିଲ୍ଲୀ: ଦେଶରେ ସମ୍ପ୍ରତି ଦେଖାଦେଇଥିବା ମହାମାରୀ କରୋନା ଭୂତାଣୁ ଦ୍ୱିତୀୟ ଲହର ସଂକ୍ରମଣର କ୍ରମାଗତ ବୃଦ୍ଧି ପରିପ୍ରେକ୍ଷୀରେ ଯୁଦ୍ଧକାଳୀନ ଭିତ୍ତିରେ ସମସ୍ତ ନାଗରିକଙ୍କର ଦ୍ରୁତ ଟିକାକରଣ ହିଁ ଅପରିହାର୍ଯ୍ୟ ହୋଇପଡ଼ିଛି । ଏଭଳି ସ୍ଥିତିରେ କିଛି ରାଜ୍ୟରେ ଚାହିଦା ଅନୁସାରେ ଟିକାର ଅଭାବ ରହିଛି ବୋଲି ଦର୍ଶାଇ ନିକଟରେ କିଛି ଟିକାଗ୍ରହଣ କେନ୍ଦ୍ର ବନ୍ଦ କରାଯିବା ଘଟଣା ସରକାରଙ୍କ ଚିନ୍ତା ବଢ଼ାଇ ଦେଇଛି । ତେଣୁ ଟିକା ନିର୍ମାତାମାନେ କିପରି ମାତ୍ରାଧିକ ଟିକା ପ୍ରସ୍ତୁତ କରି ତାହାକୁ ଠିକ ସମୟରେ ଠିକ ସ୍ଥାନରେ ଯୋଗାଇ ଦେବେ, ତାହା ଉପରେ ହିଁ ଗୁରୁତ୍ୱ ଦିଆଯାଉଛି । ଭାରତରେ ବର୍ତ୍ତମାନ କୋଭିଡ ଟିକା ଯୋଗାଉଥିବା ଦୁଇ ଦେଶଜ କମ୍ପାନୀ ପୁଣେ ସ୍ଥିତ ସିରମ ଇନଷ୍ଟିଚୁ୍ୟଟ (କୋଭିସିଲଡ) ଓ ହାଇଦ୍ରାବାଦ ସ୍ଥିତ ଭାରତ ବାୟୋଟେକ (କୋଭାକ୍ସିନ) ଦେଶର ସାମ୍ପ୍ରତିକ ଟିକା ଚାହିଦାକୁ ସମ୍ପୂର୍ଣ୍ଣ ଭାବେ ପୂରଣ କରିପାରୁନାହାନ୍ତି । ତେଣୁ ସେମାନେ ନିଜର ଟିକାପ୍ରସ୍ତୁତି କ୍ଷମତାକୁ ତ୍ୱରାନ୍ୱିତ କରିବା ଲାଗି ବୈଷୟିକ ବ୍ୟବସ୍ଥାରେ ପରିବର୍ତ୍ତନ ଚଳାଇଛନ୍ତି । ଏଥିପାଇଁ ମାସାଧିକ କାଳ ଦରକାର ପଡୁଥିବାରୁ ସେମାନଙ୍କ କାରଖାନାରୁ ଉପôନ୍ନ ଟିକା ପରିମାଣ ମଧ୍ୟ ଅନ୍ତତଃ ଆଗାମୀ ମାସକ ଯାଏ ସଂକୁଚିତ ହେବ । ବର୍ତ୍ତମାନ ପାଇଁ ଗଚ୍ଛିତ ଥିବା ଟିକା ସୀମିତ ବୋଲି ଜଣେ ବରିଷ୍ଠ ଅଧିକାରୀ ସ୍ୱୀକାର କରିଛନ୍ତି । ବର୍ତ୍ତମାନ ସରକାରଙ୍କ ପାଖରେ ଦୁଇଟି ଯାକ କୋଭିଡ ଟିକାର ୫ କୋଟି ମାତ୍ରା ମହଜୁଦ ରହିଛି । ଯାହା ଆଗାମୀ ୧୨ ରୁ ୧୫ ଦିନର ଆବଶ୍ୟକତା ପୂରଣ କରିପାରିବ ।