ନକ୍ସଲଙ୍କ ବିସ୍ଫୋରଣ ଯୋଜନା ପଣ୍ଡ, ନିଷ୍କ୍ରିୟ କଲା ପୁଲିସ
ରାୟଗଡ଼ା: ନକ୍ସଲଙ୍କ ବିସ୍ଫୋରଣ ଯୋଜନା ପଣ୍ଡ କଲା ପୁଲିସ। ସୋମବାର ରାୟଗଡା-କଳାହାଣ୍ଡି ସୀମାନ୍ତ ଜଗଦଳପୁର ଅଞ୍ଚଳରୁ ୩ଟି ଟିଫିନ୍ ବୋମା ଓ ଗୋଟିଏ ପ୍ରେସର ବୋମା ଉଦ୍ଧାର କରି ତାହାକୁ ନିଷ୍କ୍ରିୟ କରିଛି ଜିଲା ପୁଲିସ ଓ ସିଆରପିଏଫର ବୋମା ଉଦ୍ଧାରକାରୀ ଦଳ। ସୀମାନ୍ତରୁ ୪ ବୋମା ମିଳିବା ପରେ କମ୍ବିଂ ଅପରେସନକୁ ଜୋରଦାର କରାଯାଇଥିବା ରାୟଗଡା ଏସପି ସ୍ବାତୀ ଏସ.କୁମାର ଏକ ଭିଡିଓ ବାର୍ତ୍ତାରେ ସୂଚନା ଦେଇଛନ୍ତି।
ଜିଲା ପୁଲିସ ମୁଖ୍ୟାଳୟରୁ ମିଳିଥିବା ସୂଚନା ମୁତାବକ, ରାୟଗଡା ଜିଲା ଇଣ୍ଟେଲିଜେନ୍ସ ଅପରେସନ୍ସ ସେଲର ସୂଚନା ଆଧାରରେ ସୋମବାର ସକାଳୁ ସକାଳୁ ଜିଲା ଆରକ୍ଷୀ ଅଧିକ୍ଷକ ସ୍ବାତୀ ଏସ.କୁମାରଙ୍କ ନେତୃତ୍ୱରେ ଡିଭିଏଫ୍ ଫୋର୍ସ, ପୁଲିସ ବୋମ ସ୍କ୍ୱାର୍ଡ଼, ସିଆରପିଏଫ୍ ୪ର୍ଥ ବାଟାଲିଆନର ଯବାନମାନେ ମିଳିତ ଭାବେ କମ୍ବିଂ ଅପରେସନ କରିଥିଲେ। କମ୍ବିଂ ଅପରେସନ ସମୟରେ ରାୟଗଡା ଜିଲା ଅମ୍ବାଦଳ ଥାନା ଅନ୍ତର୍ଗତ ଜଗଦଲପୁର ଅଞ୍ଚଳରେ ମାଓବାଦୀଙ୍କ ଦ୍ବାରା ୨ଟି ସ୍ଥାନରେ ବୋମା ଖଞ୍ଜା ଯାଇଥିବା ଜଣାପଡିଥିଲା। ଗୋଟିଏ ପ୍ରେସର ବୋମା ଓ ୩ଟି ଟିଫିନ୍ ବୋମା ଖଞ୍ଜା ଯାଇଥିଲା। ୪ଟି ବୋମାକୁ ପୁଲିସ ଓ ସିଆରପିଏଫ୍ର ବୋମ ସ୍କ୍ୱାର୍ଡ଼ ମିଳିତ ଭାବେ ନିଷ୍କ୍ରିୟ କରିଥିଲେ।
ଜିଲାରେ ଗତ କିଛି ବର୍ଷ ହେଲା ମାଓ କାର୍ଯ୍ୟକଳାପ ନିଷ୍କ୍ରିୟ ରହିଥିଲା। ତେବେ ଗତ ବର୍ଷ ମଧ୍ୟରେ ବିଭିନ୍ନ ସ୍ଥାନରେ ମାଓବାଦୀଙ୍କ ପୋଷ୍ଟର ଦେଖିବାକୁ ମିଳିଥିଲା। ଏବେ ୪ଟି ବୋମା ଉଦ୍ଧାର ହେବା ପରେ ପୁଣି ଥରେ ଜିଲାରେ ମାଓବାଦୀଙ୍କ କାର୍ଯ୍ୟକଳାପ ସକ୍ରିୟ ହେଉଥିବା ସନ୍ଦେହ କରାଯାଉଛି । ଏନେଇ ରାୟଗଡା ଏସପି ସ୍ୱାତୀ ଏସ.କୁମାରଙ୍କୁ ପଚାରିବାରୁ ଗୁଇନ୍ଦା ସୂଚନା ଆଧାରରେ ମାଓବାଦୀଙ୍କ ଦ୍ବାର ଏହି ବୋମା ଖଞ୍ଜା ଯାଇଥିଲା। ବୋମା ଉଦ୍ଧାର ହେବା ପରେ ଜିଲାରେ କମ୍ବିଂ ଅପରେସନକୁ ଜୋରଦାର କରାଯାଇଛି ବୋଲି ସେ କହିଛନ୍ତି।
Powered by Froala Editor