ବ୍ରିଜ୍ର ସ୍ଲାବ ଖସି ୩ ଜଣ ଶ୍ରମିକଙ୍କ ମୃତ୍ୟୁ, ୫ ଲକ୍ଷର ଅନୁକମ୍ପା ରାଶି ଘୋଷଣା
କଟକର ଖାନ୍ନଗରସ୍ଥିତ ବ୍ରିଜ ନିର୍ମାଣ ବେଳେ ସ୍ଲାବ୍ ଖସିପଡ଼ିବାରୁ ୩ ଜଣ ଶ୍ରମିକଙ୍କର ମୃତ୍ୟୁ ହୋଇଛି। ଅନ୍ୟ ୨ ଜଣ ଗୁରୁତରଙ୍କର ଚିକିତ୍ସା ଜାରି ରହିଛି। ମୃତ ଶ୍ରମିକମାନେ ହେଲେ ସୌମ୍ୟରଂଜନ ବେହରା, ଶିବଶଙ୍କର ପଟ୍ଟନାୟକ ଓ ସୁବାଷ ଭକ୍ତ। ଆହତମାନେ ହେଲେ ଅରୁଣ ବାରିକ ଓ ବିକଳ ଜେନା।
ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଏହି ଅଘଟଣ ବିଷୟରେ ଜାଣିବା ପରେ ଗଭୀର ଦୁଃଖ ପ୍ରକାଶ କରିଛନ୍ତି। ଦୁର୍ଘଟଣାରେ ପ୍ରାଣ ହରାଇଥିବା ବ୍ୟକ୍ତିବିଶେଷଙ୍କ ପରିବାରବର୍ଗଙ୍କ ପ୍ରତି ଗଭୀର ସମବେଦନା ଜଣାଇବା ସହ ଆହତଙ୍କ ଆଶୁ ଆରୋଗ୍ୟ କାମନା କରିଛନ୍ତି। ଏହାସହ ମୃତକଙ୍କ ନିକଟତମ ଆତ୍ମୀୟଙ୍କ ପାଇଁ ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଟିରୁ ୫ ଲକ୍ଷ ଟଙ୍କା ଲେଖାଏ ଅନୁକମ୍ପାମୂଳକ ସହାୟତା ଘୋଷଣା କରାଯାଇଛି। ଏନେଇ ମୁଖ୍ୟମନ୍ତ୍ରୀ ତାଙ୍କ ‘ଏକ୍ସ’ ହ୍ୟାଣ୍ଡେଲ ଜରିଆରେ ସୂଚନା ଦେଇଛନ୍ତି। ଆହତଙ୍କ ପାଇଁ ମାଗଣାରେ ଚିକିତ୍ସା ସୁବିଧା ଯୋଗାଇଦେବା ସାଙ୍ଗକୁ ଘଟଣାର ଉଚ୍ଚସ୍ତରୀୟ ତଦନ୍ତ ଲାଗି ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି।
ସୂଚନା ଅନୁସାରେ ଖାନନଗରରେ କାଠଯୋଡ଼ିରେ ବ୍ରିଜ୍ କାମ ଜାରି ରହିଛି। ପୂର୍ତ୍ତ ବିଭାଗ ପକ୍ଷରୁ ଏହି କାମ ପାଇଁ ଏକ ଘରୋଇ କଂପାନିକୁ ଦାୟିତ୍ବ ଦିଆଯାଇଛି। ଅନ୍ୟ ଦିନ ଭଳି ଆଜି ମଧ୍ୟ ଏଠାରେ ନିର୍ମାଣ କାମ ଚାଲିଥିଲା। କିନ୍ତୁ ଅପରାହଣ୍ ସମୟରେ ଅଘଟଣ ଘଟିଥିଲା। ବ୍ରିଜ୍ ଉପରୁ ସ୍ଲାବ ପଡ଼ିଯିବା କାରଣରୁ ୫ ଜଣ ଶ୍ରମିକ ଆହତ ହୋଇଥିଲେ। ସେମାନଙ୍କୁ ତୁରନ୍ତ ଉଦ୍ଧାର କରାଯାଇ କଟକ ବଡ଼ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ସେଠାରେ ୩ ଜଣ ଶ୍ରମିକଙ୍କୁ ଡାକ୍ତର ମୃତ ଘୋଷଣା କରିଛନ୍ତି।
Powered by Froala Editor