ଫସିଲେ ସୀମା : ଭାରତୀୟ ବୋହୁ ନା ପାକିସ୍ତାନୀ ଝିଅ!

ଜମ୍ମୁ-କଶ୍ମୀରର ପହଲଗାମରେ ନିକଟରେ ହୋଇଥିବା ଆତଙ୍କବାଦୀ ଆକ୍ରମଣର ଜବାବରେ ବୁଧବାର ଏହି ନିଷ୍ପତ୍ତି ନିଆଯାଇଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସୁରକ୍ଷା ସଂକ୍ରାନ୍ତ କ୍ୟାବିନେଟ୍ କମିଟି ବୈଠକ ପରେ ଭାରତ ପାକିସ୍ତାନୀ ନାଗରିକଙ୍କ ପାଇଁ ସମସ୍ତ ଭିସା ସେବାକୁ ବନ୍ଦ କରିଛି। ଏପ୍ରିଲ ୨୭ରୁ ପାକିସ୍ତାନୀ ନାଗରିକଙ୍କ ପାଇଁ ଥିବା ସମସ୍ତ ଭିସାକୁ ବାତିଲ କରାଯାଇଥିବା ବେଳେ ମେଡିକାଲ ଭିସା ଏପ୍ରିଲ ୨୯ ପର୍ଯ୍ୟନ୍ତ ବୈଧ ରହିବ। ଯେଉଁମାନେ ପୂର୍ବରୁ ଭାରତରେ ଅଛନ୍ତି ସେମାନଙ୍କୁ ଭିସା ଅବଧି ଶେଷ ହେବା ପୂର୍ବରୁ ଚାଲିଯିବାକୁ ନିର୍ଦ୍ଦେଶ ଦିଆଯାଇଛି।
ତେବେ ଭିସା ବାତିଲ ମଧ୍ୟରେ ଫସିଥିବା ବ୍ୟକ୍ତିମାନଙ୍କ ମଧ୍ୟରେ ଅଛନ୍ତି ସୀମା ହାଇଦର । ସୋସିଆଲ ମିଡିଆ ପ୍ଲାଟଫର୍ମରେ ସେୟାର ହେଉଥିବା ଏକ ଭିଡିଓରେ ସୀମା କହୁଛନ୍ତି, "ମୁଁ ପାକିସ୍ତାନ ଯିବାକୁ ଚାହୁଁନାହିଁ। ମୁଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ୟୁପି ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କୁ ଅନୁରୋଧ କରୁଛି ଯେ, ମୋତେ ଭାରତରେ ରହିବାକୁ ଦିଅନ୍ତୁ। ମୁଁ ସଚିନ୍ ମୀନାଙ୍କୁ ବିବାହ କରିବା ପରେ ହିନ୍ଦୁ ଧର୍ମ ଗ୍ରହଣ କରିଛି। ମୁଁ ମୋଦିଜୀ ଏବଂ ଯୋଗୀଜୀଙ୍କୁ ନିବେଦନ କରୁଛି ଯେ, ମୁଁ ଏବେ ସେମାନଙ୍କ ଶରଣରେ ଅଛି। ମୁଁ ପାକିସ୍ତାନର ଝିଅ ଥିଲି କିନ୍ତୁ ଏବେ ମୁଁ ଭାରତର ବୋହୂ। ମୋତେ ଏଠାରେ ରହିବାକୁ ଦିଅନ୍ତୁ।"
୨୦୨୩ ମେ’ ମାସରେ ନିଜର ଚାରି ପିଲାଙ୍କ ସହ ସୀମା ହାଇଦର ବେଆଇନ ଭାବେ ଭାରତରେ ପ୍ରବେଶ କରିଥିଲେ। ତାଙ୍କ ଗନ୍ତବ୍ୟ ସ୍ଥଳ ଗ୍ରେଟର ନୋଏଡା ଥିଲା, ଯେଉଁଠାରେ ସେ ତାଙ୍କ ଭାରତୀୟ ପ୍ରେମିକ ସଚିନ ମୀନାଙ୍କ ସହ ମିଶିଥିଲେ। ୨୦୧୯ରେ ଏକ ଅନଲାଇନ୍ ଗେମ୍ ଖେଳୁଥିବା ବେଳେ ଏହି ଦମ୍ପତିଙ୍କ ସାକ୍ଷାତ ହୋଇଥିଲା। ଜୁଲାଇ ୨୦୨୩ ସୁଦ୍ଧା ଭାରତୀୟ କର୍ତ୍ତୃପକ୍ଷ ସେମାନଙ୍କୁ ଉତ୍ତରପ୍ରଦେଶର ଗୌତମ ବୁଦ୍ଧ ନଗର ଜିଲ୍ଲାର ରାବୁପୁରା ଅଞ୍ଚଳରେ ଏକାଠି ରହୁଥିବା ଦେଖିବାକୁ ପାଇଥିଲେ। ସୀମା ତାଙ୍କ ସ୍ୱାମୀଙ୍କୁ ପାକିସ୍ତାନର ସିନ୍ଧ ପ୍ରଦେଶରେ ଛାଡ଼ି ପଳାଇ ଆସିଥିଲେ।
Powered by Froala Editor