ଆଉ ୩ ଆତଙ୍କବାଦୀଙ୍କ ଘର ଭାଙ୍ଗିଲା

ପହଲଗାମ୍ ଆତଙ୍କବାଦୀ ଆକ୍ରମଣ ପରେ କଶ୍ମୀରରେ ଥିବା ଆତଙ୍କବାଦୀ ଓ ସେମାନଙ୍କ ସମର୍ଥକମାନଙ୍କୁ ଧରିବା ପାଇଁ ବ୍ୟାପକ ଚଢ଼ାଉ ଜାରି ରହିଛି। କେତେଜଣ ଆତଙ୍କବାଦୀଙ୍କ ଘର ଭଙ୍ଗାଯିବା ସହ ସେମାନଙ୍କ ସୁରକ୍ଷିତ ଆଡ୍ଡା ଉପରେ ଚଢ଼ାଉ କରାଯାଇ ଶତାଧିକ ସହାୟକଙ୍କୁ ଅଟକ ରଖାଯାଇଛି। ସ୍ଥାନୀୟ ପ୍ରଶାସନ ସହାୟତାରେ ବାନ୍ଦିପୋରା, ପୁଲଓ୍ବାମା ଏବଂ ସୋପିଆନ ଅଞ୍ଚଳରେ ଥିବା ଏହି ୩ ଆତଙ୍କବାଦୀଙ୍କ ଘରକୁ ମାଟିରେ ମିଶାଯାଇଛି। ପହଲଗାଓଁ ଆକ୍ରମଣ ପରେ ପ୍ରଶାସନ ଏବଂ ସେନାର କାର୍ଯ୍ୟାନୁଷ୍ଠାନ ସ୍ଵରୂପ ମୋଟ ୯ ଜଣ ଆତଙ୍କବାଦୀଙ୍କ ଘରକୁ ଭାଙ୍ଗି ଦିଆଯାଇଛି।
ଗତ ମଙ୍ଗଳବାର ଆତଙ୍କବାଦୀମାନେ ପହଲଗାମ୍ର ଲୋକପ୍ରିୟ ପର୍ଯ୍ୟଟନ ସ୍ଥଳ ବୈସରନରେ ଆକ୍ରମଣ କରି ୨୬ ପର୍ଯ୍ୟଟକଙ୍କୁ ହତ୍ୟା କରିଥିଲେ। ସୁରକ୍ଷା ବଳ ସମଗ୍ର ଉପତ୍ୟକାରେ ଥିବା ଜଣାଶୁଣା ଆତଙ୍କବାଦୀ ସଂଗଠନ ଏବଂ ସେମାନଙ୍କ ସହଯୋଗୀଙ୍କୁ ଧରିବା ପାଇଁ ଚଢ଼ାଉ ଜାରି ରଖିଛି। ଆତଙ୍କବାଦ ସହ ଜଡ଼ିତ ଅନ୍ୟମାନଙ୍କ ବିରୋଧରେ ମଧ୍ୟ ଅନୁରୂପ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଅଧିକାରୀମାନେ କହିଛନ୍ତି।
ସୋପିଆନ ଜିଲାର ଓ୍ବାନ୍ଦିନା ଗ୍ରାମରେ ଅଦନାନ ଶାଫି ନାମକ ଆତଙ୍କୀର ଘର ଭଙ୍ଗାଯାଇଛି। ଅଦନାନ ଗତବର୍ଷ ଆତଙ୍କବାସୀ ସଂଗଠନରେ ସାମିଲ ହୋଇଥିଲା। ସେହିପରି ପୁଲଓ୍ବାମାରେ ଆମିର ନାଜିର ନାମକ ଆତଙ୍କୀର ଘର ଭଙ୍ଗାଯାଇଥିବାବେଳେ ବାନ୍ଦିପୋରାରେ ଲଶ୍କର ଆତଙ୍କୀ ଜମିଲ ଅହମ୍ମଦ ଶେରଗୋଜରି ଘରକୁ ଭଙ୍ଗାଯାଇଛି। ଅନନ୍ତନାଗ ଜିଲାରେ ୨୪ ଘଣ୍ଟିଆ ତଲାସି ଅଭିଯାନ ଜାରି ରହିଥିବାବେଳେ ସୁରକ୍ଷା ବଳ ସଜାଗ ରହିଛନ୍ତି।
Powered by Froala Editor