Excuse me କହିବାରୁ ମହିଳାଙ୍କୁ ମାଡ଼

ଇଂରାଜୀ କହିବାରୁ ଜଣେ ମହିଳାଙ୍କ ଉପରେ ନିସ୍ତୁକ ମାଡ଼ ବସିଛି। କେବଳ ମହିଳା ନୁହେଁ ତାଙ୍କ ସାଙ୍ଗ, ଏବଂ ପୁରା ପରିବାରକୁ ମାଡ ମରାଯାଇଛି। ମହାରାଷ୍ଟ୍ରର ଥାଣେ ଅନ୍ତର୍ଗତ ଡମ୍ବିଭଲି ଅଞ୍ଚଳରେ ଏହି ଅଭାବନୀୟ ଘଟଣା ଘଟିଛି। ଏ ନେଇ ଅଭିଯୋଗ ହେବା ପରେ ପୁଲିସ ପ୍ରଥମେ ତାହାକୁ ଗୁରୁତ୍ଵ ଦେଇ ନ ଥିଲା। କିନ୍ତୁ ଆକ୍ରମଣର ଭିଡିଓ ସାମାଜିକ ଗଣମାଧ୍ୟମରେ ପ୍ରଘଟ ହେବାରୁ ତଦନ୍ତ ପାଇଁ ଆଗ୍ରହ ଦେଖାଇଛି।
କେବଳ ଗୋଟିଏ ଓ୍ୱାର୍ଡ ” Excuse me” କହିବାରୁ ରାସ୍ତା ଉପରେ ମହିଳା ଜଣଙ୍କ ଛୁଟି ଟାଣି କାଠ ଫାଳିଆରେ ନିସ୍ତୁକ ମାଡ଼ ମାରିଛନ୍ତି କିଛି ଲୋକ। ରାସ୍ତା ଉପରେ କିଛି ଲୋକ ଇଂରାଜୀ ନ କହି ମରାଠୀରେ କହିବାକୁ ମହିଳାଙ୍କୁ କହିଥିଲେ। ଆଉ ଏତିକିରେ ବିବାଦ ଉଗ୍ର ରୂପ ଧାରଣ କରିଥିଲା। ଆଉ ରାସ୍ତା ଉପରେ ମହିଳା ୨ ଜଣଙ୍କୁ ନିସ୍ତୁକ ମାଡ଼ ମରାଯାଇଥିଲା।
ସୂଚନା ଅନୁସାରେ, ପୁରୁଣା ଡମ୍ବିଭଲିରେ ଏକ କୋଠାରେ ରହୁଥିବା ପୁନମ ଗୁପ୍ତା ଗତ ସୋମବାର ସନ୍ଧ୍ୟା ଘରକୁ ଫେରିଥିଲେ। ସାଥୀରେ ତାଙ୍କ ୯ମାସର ଶିଶୁ ଏବଂ ସାଙ୍ଗ ଜ୍ୟୋତି ଚଭନ ଥିଲେ। ତାଙ୍କ ପଡ଼ୋଶୀ ଘର ଧୋବଲେ ପରିବାରରେ କିଛି ଉତ୍ସବ ଚାଲିଥିଲା। ଉତ୍ସବକୁ ଆସିଥିବା ସମ୍ପର୍କୀୟମାନେ ପୁନମଙ୍କ ଘରକୁ ଯିବା ବାଟରେ ଛିଡ଼ା ହୋଇଥିଲେ। ପୁନମ ନମ୍ରତାର ସହିତ ସେମାନଙ୍କୁ ଇଂଲିଶ ଭାଷାରେ ‘ଏକ୍ସକ୍ୟୁଜ ମି’ କହି ବାଟ ଛାଡ଼ିବାକୁ କହିଥିଲେ। ଏତିକି କଥାରେ ଧୋବଲେ ପରିବାର ସଦସ୍ୟମାନେ ତାଙ୍କୁ ଇଂଲିଶ ନ କହି ମରାଠୀ ଭାଷାରେ କହିବାକୁ ବାଧ୍ୟ କରିଥିଲେ।
ପୁନମ ମରାଠୀ ଜାଣି ନ ଥିବାରୁ ତାଙ୍କୁ ଗାଳିଗୁଲଜ କରିଥିଲେ। ପୁନମଙ୍କ ସହ ଥିବା ଜ୍ୟୋତି ସେମାନଙ୍କୁ ବିରୋଧ କରିଥିଲେ। ଏହା ପରେ ଧୋବଲେ ପରିବାରର ସଦସ୍ୟମାନେ ମିଶି ଜ୍ୟୋତି, ପୁନମଙ୍କୁ ମାଡ଼ ମାରିଥିଲେ। ସିସିଟିଭି ଫୁଟେଜ ସାମାଜିକ ଗଣମାଧ୍ୟମରେ ପ୍ରଘଟ ହେବାରୁ ଏହାକୁ ଗୁରୁତ୍ଵ ଦେଇ ପୁଲିସ ତଦନ୍ତ ଚଳାଇଛି।
Powered by Froala Editor