ଛତୁଆ ନେଇଗଲା ୨ ଭଉଣୀଙ୍କ ଜୀବନ
ଗଜପତି ଜିଲ୍ଲା ରାମଗିରି ଅଞ୍ଚଳରେ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି। ବିଷାକ୍ତ ଛତୁଆ ଖାଇ ଚାଲିଗଲା ଦୁଇ ଭଉଣୀଙ୍କ ଜୀବନ। ଦୁଇ ଭଉଣୀ ତୁଳସୀ ବଡମୁଣ୍ଡି(୬)ଏବଂ ଗୁଣବତୀ ବଡମୁଣ୍ଡି (୩) ମୃତ୍ୟୁ ବରଣ କରିଥିବା ବେଳେ ବାପା ଅର୍ଜୁନ ଏବଂ ବଡ ଭଉଣୀ ସୁମିତ୍ରାଙ୍କ ଅବସ୍ଥା ସଙ୍କଟାପନ୍ନ ରହିଛି।
ଅଭିଯୋଗ ଅନୁସାରେ ରାମଗିରି ନିକଟ ତୁଳସୀନଗରରେ ଏକ ପରିବାରର ଲୋକେ ଅଙ୍ଗନବାଡ଼ି ଛତୁଆ ଖାଇଥିଲେ। ଛତୁଆ ଖାଇଲା ପରେ ସେମାନେ ଅସୁସ୍ଥ ହୋଇଥିଲେ। ଖବର ପାଇବା ପରେ ସ୍ଥାନୀୟ ଆଶା ଦିଦି ଶାନ୍ତିଲତା ବଡମୁଣ୍ଡି ସେମାନଙ୍କୁ ଚିକିତ୍ସାଳୟରେ ଭର୍ତ୍ତି କରାଇଥିଲେ। ସମ୍ପୃକ୍ତ ଆଶା ଦିଦି ହିଁ ଛତୁଆ ଖାଇ ଦୁଇଜଣ ମୃତ୍ୟୁ ବରଣ କରିଥିବା ସୂଚନା ଦେଇଛନ୍ତି। ବାପା ଅର୍ଜୁନ ଓ ବଡ଼ ଝିଅ ସୁମିତ୍ରା ପାରଳାଖେମୁଣ୍ଡି ମୁଖ୍ୟ ଚିକିତ୍ସାଳୟରେ ଚିକିତ୍ସିତ ହେଉଥିବା ବେଳେ ସେମାନଙ୍କ ଅବସ୍ଥା ସଙ୍କଟାପନ୍ନ ଥିବାରୁ ବ୍ରହ୍ମପୁର ସ୍ଥାନାନ୍ତର କରାଯାଇଛି।
ପୁଲିସ ମୃତଦେହ ଜବତ କରି ପୋଷ୍ଟମର୍ଟମ ପାଇଁ ପଠାଇଛି। ଏକ ମାମଲା ରୁଜୁ କରି ଘଟଣାର ଅଧିକ ତଦନ୍ତ ଜାରି ରଖିଛି।
Powered by Froala Editor