ରାଗିଂରେ ସୀମା ଟପିଗଲେ: ଜୁନିୟରଙ୍କୁ ଉଲଗ୍ନ କରି ଡମ୍ବୁଲ୍ ଓହଳାଉଥିଲେ

କେରଳରୁ ରାଗିଙ୍ଗର ଏକ ଏମିତି କାଣ୍ଡ ସାମ୍ନାକୁ ଆସିଛି, ଯାହା ଆପଣଙ୍କୁ ଆଶ୍ଚର୍ଯ୍ୟ କରିଦେବ। ଏ ଘଟଣା ଘଟିଛି, କେରଳର କୋଟାୟମସ୍ଥିତ ଏକ ସରକାରୀ ନର୍ସିଂ କଲେଜରେ । ରାଗିଙ୍ଗ ଆକ୍ଟ ଆଧାରରେ ୫ ଜଣ ଛାତ୍ରଙ୍କୁ ଗିରଫ କରିଛି ପୋଲିସ । ପୋଲିସ ସୂଚନା ଅନୁସାରେ, ନର୍ସିଂ ପାଠ୍ୟକ୍ରମର ୩ୟ ବର୍ଷର ୫ ଛାତ୍ର ପ୍ରଥମ ବର୍ଷ ପିଲାଙ୍କୁ ରାଗିଙ୍ଗ ନାଁ’ରେ ଅକଥନୀୟ ନିର୍ଯ୍ୟାତନା ଦେଉଥିଲେ ।
ସିନିୟର ଛାତ୍ରମାନେ ଜୁନିୟର ଛାତ୍ରମାନଙ୍କୁ ନିବସ୍ତ୍ର କରିବା ସହ ସେମାନଙ୍କ ଯୌନାଙ୍ଗରେ ଡମ୍ବୁଲ୍ ଓହଳାଇଦେଇଥିଲେ । ଏହି ସମୟରେ ପୀଡିତ ଛାତ୍ରମାନେ ଯନ୍ତ୍ରଣାରେ ଛଟପଟ ହୋଇ ଛାଡିଦେବାକୁ ନେହୁରା ହୋଇଥିଲେ ବି କେହି ତାଙ୍କ କଥା ଶୁଣିନଥିଲେ । ଜ୍ୟାମିତି ବାକ୍ସରେ ଥିବା କମ୍ପାସକୁ ଦେହ ସାରା ଫୋଡ଼ି ଖଣ୍ଡି କରୁଥିଲେ । ରାଗିଙ୍ଗ ଏତିକିରେ ସରିନାହିଁ, ଜୁନିଅରଙ୍କ ଘା’ରେ ସିନିୟରମାନେ ଲୋସନ ଲଗେଇ ଦେଉଥିଲେ । ଯାହାଦ୍ୱାରା ସେମାନଙ୍କ ଯନ୍ତ୍ରଣା ଆହୁରି ବଢ଼ିଯାଉଥିଲା ।
ଏ ବାବଦରେ ଅଭିଯୋଗ ହେବା ପରେ ବର୍ତ୍ତମାନ ପୁଲିସ ଏହି ଘଟଣାରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି ଏବଂ ନର୍ସିଂ କଲେଜର ପାଞ୍ଚ ଜଣ ଛାତ୍ରଙ୍କୁ ଗିରଫ କରିଛି। ପୁଲିସ ଦ୍ୱାରା ଗିରଫ ହୋଇଥିବା ଛାତ୍ରମାନେ ହେଉଛନ୍ତି ସାମୁଏଲ ଜନସନ, ଏନଏସ ଜୀଭା, କେ.ପି ରାହୁଲ ରାଜ, ସି ରିଜିଲ ଜୀଥ ଏବଂ ବିବେକ ଏନ.ପି ।
ପୀଡିତ ଛାତ୍ରମାନେ ଅଭିଯୋଗ କରିଛନ୍ତି ଯେ ସେମାନଙ୍କୁ ଉଲଗ୍ନ ଅବସ୍ଥାରେ ଠିଆ ହେବାକୁ ବାଧ୍ୟ କରାଯାଇଥିଲା । ସିନିୟର ଛାତ୍ରମାନେ ନିୟମିତ ଭାବେ ମଦ କିଣିବା ପାଇଁ ଜୁନିଅର ଛାତ୍ରମାନଙ୍କଠାରୁ ଟଙ୍କା ନେଉଥିଲେ ଏବଂ ସେମାନଙ୍କୁ ବାରମ୍ବାର ଆକ୍ରମଣ କରୁଥିଲେ। ଏ ନେଇ ଅଭିଯୋଗ ନ କରିବାକୁ ଡରା ଧମକା ମଧ୍ୟ କରୁଥିବା ପୋଲିସ କହିଛି ।
Powered by Froala Editor