୩୧ରୁ ଫେବୃଆରୀ ୨ ତାରିଖ ପର୍ଯ୍ୟନ୍ତ ଭୁବନେଶ୍ୱରରେ ମୟୂରଭଞ୍ଜ ଉତ୍ସବ
ଭୁବନେଶ୍ୱର: ଜାନୁଆରୀ ୩୧ରୁ ଫେବୃଆରୀ ୨ ତାରିଖ ପର୍ୟ୍ୟନ୍ତ ୩ଦିନ ବ୍ୟାପୀ ଭୁବନେଶ୍ୱର ସ୍ଥିତ ଉତ୍କଳ ମଣ୍ଡପଠାରେ ମୟୂରଭଞ୍ଜ ଉତ୍ସବ ଅନୁଷ୍ଠିତ ହେବ । ମୟୂରଭଞ୍ଜ ସାଂସ୍କୃତିକ ସଂସଦ ଆନୁଲ୍ୟରେ ମହାସମାରୋହରେ ଏହି ଉତ୍ସବ ଆୟୋଜିତ ହେଉଥିବା ନେଇ ବୁଧବାର ସଂସଦ ପରିସରରେ ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦିଆଯାଇଛି । ୩୧ ତାରିଖ ସନ୍ଧ୍ୟାରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଏହାର ଉଦ୍ଘାଟନ କରିବେ ।
ତିନିଦିନ ଧରି ଦର୍ଶକ ମୟୂରଭଞ୍ଜର କଳା, ସଂସ୍କୃତି, ଐତିହ୍ୟ, ସ୍ଥାପତ୍ୟ, ବ୍ୟଞ୍ଜନ ଓ ପର୍ୟ୍ୟଟନର ଭରପୂର ମଜା ଉଠାଇବା ସହିତ ଛଉ, ଝୁମର ନାଚ ସାଙ୍ଗକୁ ବିଶିଷ୍ଟ ସିନେ କଳାକାରମାନଙ୍କ ଦ୍ୱାରା ପରିବେଷିତ ରଙ୍ଗାରଙ୍ଗ ସାଂସ୍କୃତିକ କାର୍ୟ୍ୟକ୍ରମରେ ଝୁମିବେ । ସନ୍ଧ୍ୟା ୬ରୁ ରାତି ୧୦ଟା ପର୍ୟ୍ୟନ୍ତ କାର୍ୟ୍ୟକ୍ରମ ଚାଲିବ । ଏଥି ସହ ଫେବୃଆରୀ ୧ ତାରିଖ ଦିନ ୧୦ଟାରୁ ୨ଟା ପର୍ୟ୍ୟନ୍ତ ମୟୂରଭଞ୍ଜର ମହାରାଜା ଶ୍ରୀରାମଚନ୍ଦ୍ର ଭଞ୍ଜଦେଓଙ୍କ ୧୫୦ତମ ଜୟନ୍ତୀ ପାଳନ ହେବ । ଏହି ଅବସରରେ ଇନ୍ଷ୍ଟିଚ୍ୟୁଟ୍ ଅଫ୍ ଇଞ୍ଜିନିୟର୍ସଠାରେ ଅନୁଷ୍ଠିତ ସଭାରେ ମୟୂରଭଞ୍ଜର ମହାରାଜା ଓ ମହାରାଣୀ ଯୋଗଦେବେ । ବିଭିନ୍ନ କ୍ଷେତ୍ରରେ ଓଡ଼ିଶାକୁ ମୟୂରଭଞ୍ଜର ଅବଦାନ ସମ୍ପର୍କରେ ଆଲୋଚନା ହେବ ବୋଲି ସୂଚନା ଦିଆଯାଇଛି । ସାମ୍ବାଦିକ ସମ୍ମିଳନୀରେ ଉତ୍ସବ କମିଟିର ଚେୟାରମ୍ୟାନ୍ ଡ. ଅରୁଣ କୁମାର ରଥଙ୍କ ସମେତ ସଂସଦର ସାଧାରଣ ସମ୍ପାଦକ ଡ. ରଜନୀକାନ୍ତ ବିଶ୍ୱାଳ, ସମ୍ପାଦକ ବିଶିଷ୍ଟ ସିନେ ଲେଖକ ଚିନ୍ମୟ ଦାସ ପଟ୍ଟନାୟକ, ସମ୍ପାଦକ ବିଶିଷ୍ଟ ଉଦ୍ୟୋଗପତି ସ୍ୱରୂପ ରଞ୍ଜନ ଦାସ, ବରିଷ୍ଠ ସିନେ ନିର୍ଦ୍ଦେଶକ ଗଦାଧର ପୁଟ୍ଟୀ, ବିଶିଷ୍ଟ ଅଭିନେତା ସୁକାନ୍ତ ରଥ, ଆଗଧାଡ଼ିର ସିନେ ନିର୍ଦ୍ଦେଶକ ତାପସ କୁମାର ସରଘରିଆ ଓ ଅନ୍ୟମାନେ ଉପସ୍ଥିତ ଥିଲେ ।
Powered by Froala Editor