ସୈଫଙ୍କୁ ଛୁରା ମାଡ଼ ମାମଲା, ସିସିଟିଭି ଫୁଟେଜରୁ ଚିହ୍ନଟ ହେଲା ଆକ୍ରମଣକାରୀ

ବୁଧବାର ବିଳମ୍ବିତ ରାତିରେ ବଲିଉଡ ଅଭିନେତା ସୈଫ ଅଲ୍ଲୀ ଖାନଙ୍କ ଉପରେ ମରଣାନ୍ତକ ଆକ୍ରମଣ ହୋଇଛି। ସୈଫ ଅଲ୍ଲୀ ଖାନଙ୍କ ଘରେ ପଶି ଆକ୍ରମଣ କରିଥିବା ଆକ୍ରମଣକାରୀର ଚିହ୍ନଟ ହୋଇଯାଇଛି । ମୁମ୍ବାଇ ପୁଲିସ ଆକ୍ରମଣକାରୀର ଭିଡିଓ ଜାରି କରିଛି । ଅଭିଯୁକ୍ତ ବିଳମ୍ବିତ ରାତିରେ ମୁମ୍ବାଇ ଖାର ସ୍ଥିତ ଗୁରୁ ଶରଣ ଆପାର୍ଟମେଣ୍ଟର ୧୨ତମ ମହଲାସ୍ଥିତ ସୈଫ ଅଲ୍ଲୀଖାନଙ୍କ ଘରେ ପଶି ଚୋରି ଉଦ୍ଦେଶ୍ୟରେ ଆକ୍ରମଣ କରିଥିଲା ।
ଗୁରୁବାର ମୁମ୍ବାଇ ପୁଲିସ କହିଛି ଯେ ଅଭିନେତାଙ୍କୁ ଆକ୍ରମଣ କରିଥିବା ବ୍ୟକ୍ତି ଚୋରି କରିବା ଉଦ୍ଦେଶ୍ୟରେ ଅଗ୍ନି ନିର୍ଗମନ ସିଡ଼ି ଦେଇ ଘରେ ପ୍ରବେଶ କରିଥିଲେ ଏବଂ ଅନେକ ସମୟ ସେଠାରେ ରହିଥିଲେ। ସୈଫ୍ ତାଙ୍କ ପରିବାର ସହିତ ରହୁଥିବା ୧୨ ନମ୍ବର ମହଲାର ସେହି କୋଠାର ସିସିଟିଭି ଫୁଟେଜରେ ସନ୍ଦିଗ୍ଧ ଅଭିଯୁକ୍ତ କଏଦ ହୋଇଛି।
ସିସିଟିଭି ଫୁଟେଜରେ ସେ ସିଢିରୁ ଓହ୍ଲାଉଥିବା ନଜର ଆସୁଛି । ଫୁଟେଜରେ ଅଭିଯୁକ୍ତର ଚେହେରା ସ୍ପଷ୍ଟ ଦେଖିବାକୁ ମିଳୁଛି । ଡିସିପି ଗେଦାନ ଦିକ୍ଷିତ ଜଣାଇଛନ୍ତି କି ଆକ୍ରମଣକାରୀ ଚୋରି ଉଦ୍ଦେଶ୍ୟରେ ଘରେ ପଶିଥିଲା ଏବଂ ଆକ୍ରମଣ ପରେ ସିଢିରୁ ଓହ୍ଲାଇ ଚାଲିଯାଇଥିଲା । ପୁଲିସ ଜଣାଇଛି କି ସୈଫଙ୍କ ଘରୁ ୩ ଜଣଙ୍କୁ ପଚରାଉଚରା ପାଇଁ ଥାନାକୁ ଡକାଯାଇଛି । ଏଥିରେ ଆକ୍ରମଣରେ ଆହତ ହୋଇଥିବା ଘରୋଇ ସହାୟିକା ମଧ୍ୟ ସାମିଲ ଅଛନ୍ତି ।
Powered by Froala Editor