ଅନର କିଲିଂ :ନିଜ ଝିଅକୁ ଗୁଳି କଲେ ବାପା ଓ ଭାଇ

ବିବାହ ପୂର୍ବରୁ ନିଜ ଝିଅକୁ ଗୁଳି କଲେ ବାପା ଓ ଭାଇ। ମଧ୍ୟପ୍ରଦେଶର ଗ୍ବାଲିଅରରୁ ବୁଧବାର ଏ ଚାଞ୍ଚଲ୍ୟକର ଅନର କିଲିଂ ମାମଲା ସାମନାକୁ ଆସିଛି। ଯାହା ସାରା ରାଜ୍ୟରେ ଚର୍ଚ୍ଚାର ବିଷୟ ପାଲଟିଛି। ସବୁଠୁ ବଡ଼ କଥା ହେଲା ପୀଡ଼ିତାଙ୍କୁ ସୁରକ୍ଷା ଯୋଗାଇବାକୁ ବାହାରେ ପୁଲିସ ମୁତୟନ ଥିବାବେଳେ ଏହି ଘଟଣା ଘଟିଛି।
ସୂଚନା ଅନୁସାରେ, ଆଦର୍ଶନଗର କଲୋନୀ ପିଣ୍ଟୋ ପାର୍କ ଅଞ୍ଚଳରେ ରହୁଥିଲେ ୨୦ ବର୍ଷୀୟା ତନୁ ଗୁର୍ଜାର। ତାଙ୍କ ବାପା ମହେଶ ଗୁର୍ଜାର ଜଣେ ଢାବା ମାଲିକ। ପରିବାର ଲୋକେ ଆସନ୍ତା ୧୮ ତାରିଖରେ ତାଙ୍କ ବିବାହ ସ୍ଥିର କରିଥିଲେ। କିନ୍ତୁ ତନୁ ଅନ୍ୟ ଜଣେ ଯୁବକଙ୍କ ଭଲ ପାଉଥିବା ଏବଂ ତାଙ୍କୁ ହିଁ ବିବାହ କରିବାକୁ ଜିଦ ଧରିଥିଲେ।
ପରିବାର ଲୋକଙ୍କଠାରୁ ଜୀବନ ପ୍ରତି ବିପଦ ଥିବା ନେଇ ତନୁ ଏକ ପୋଷ୍ଟ କରିଥିଲେ। ପୁଲିସ ଏହା ଜାଣିବା ପରେ ନିଜ ଆଡୁ ପଦକ୍ଷେପ ନେଇଥିଲା। ତନୁଙ୍କ ସୁରକ୍ଷା ପାଇଁ ତାଙ୍କ ଘର ବାହାରେ ପୁଲିସ ମୁତୟନ ହୋଇଥିଲେ।
ତେବେ ତନୁଙ୍କୁ ଏକୁଟିଆରେ କିଛି ବୁଝାଇବାକୁ ମହେଶ ପୁଲିସକୁ ଅନୁରୋଧ କରିଥିଲେ। ପୁଲିସର ଅନୁମତି ମିଳିବା ମହେଶ ତନୁଙ୍କୁ ଘରର ଏକ ରୁମ୍ ମଧ୍ୟକୁ ନେଇ ତାଙ୍କୁ ଗୁଳିକରି ହତ୍ୟା କରିଥିଲେ। ତନୁଙ୍କ ଉପରକୁ ୪ ରାଉଣ୍ଡ ଗୁଳି କରାଯାଇଥିବା ଜଣାପଡ଼ିଛି। ପୁଲିସ ଅଭିଯୁକ୍ତ ଦ୍ବୟଙ୍କୁ ଗିରଫ କରିଛି।
Powered by Froala Editor