ବିଜୁଳି ଚୋରି ଧରିବାକୁ ଯାଇଥିଲା ପୁଲିସ, ମିଳିଲା ବହୁ ପୁରାତନ ହନୁମାନ ମନ୍ଦିର

ଉତ୍ତରପ୍ରଦେଶର ସମ୍ଭଲ ବିବାଦ ମଧ୍ୟରେ ଏକ ବହୁ ପୁରାତନ ଶିବ-ହନୁମାନ ମନ୍ଦିରର ସନ୍ଧାନ ମିଳିଛି। ବିଦ୍ୟୁତ୍ ଚୋରି ନେଇ ସ୍ଥାନୀୟ ପ୍ରଶାସନ ଏବଂ ପୁଲିସର ମିଳିତ ଚଢ଼ାଉବେଳେ ଏହି ମନ୍ଦିର ଦେଖିବାକୁ ମିଳିଥିଲା। ଏହାପରେ ପ୍ରଶାସନ ଉପସ୍ଥିତିରେ ପୁଲିସ ମନ୍ଦିର ଦ୍ୱାର ଖୋଲିଥିଲା। ଦୀର୍ଘ ବର୍ଷ ଧରି ଏହି ମନ୍ଦିରରେ ପୂଜାପାଠ ହୋଇନାହିଁ। ସାମ୍ପ୍ରଦାୟିକ କାରଣରୁ ଏହି ମନ୍ଦିର ବନ୍ଦ ହୋଇ ରହିଥିବା କୁହାଯାଉଛି।
ଉତ୍ତରପ୍ରଦେଶର ସମ୍ଭଲ ହିଂସା ପରେ ଉପଦ୍ରବୀମାନଙ୍କ ବିରୋଧରେ ସର୍ଚ୍ଚ ଅପରେସନ ଆରମ୍ଭ ହୋଇଛି। ଏହି ସମୟରେ ବିଜୁଳି ଚୋରି ଘଟଣା ସାମ୍ନାକୁ ଆସିଥିଲା। ଯାହାକୁ ଦେଖି ଏସପି କୃଷ୍ଣା କୁମାର ବିଷ୍ଣୋଇ ଅସନ୍ତୋଷ ବ୍ୟକ୍ତ କରିଥିଲେ।
ଏହି ଘଟଣାକୁ ନେଇ ଏସପି ବିଜୁଳି ବିଭାଗର ଅଧିକାରୀମାନଙ୍କ ସହ ଆଲୋଚନା କରିଥିଲେ। ଏହି ଆଲୋଚନାରେ ବିଜୁଳି ବିଭାଗ ଅଧିକାରୀ ଏସପିଙ୍କୁ କହିଥିଲେ, ‘ଆମେ ଯେତେବେଳେ ବି ବିଜୁଳି ଯାଞ୍ଚ ପାଇଁ ଯାଉଥିଲୁ ଲୋକମାନେ ଆମକୁ ଅଟକାଇବା ସହିତ ମାଡ଼ ମାରିବା ଆରମ୍ଭ କରି ଦେଉଥିଲେ। ମସଜିଦ ଓ ଘରଗୁଡ଼ିକର ଯାଞ୍ଚ କରିବା ପରେ ବିପୁଳିମାତ୍ରାରେ ବିଜୁଳି ଚୋରି ହୋଇଥିବା ମାମଲା ସାମ୍ନାକୁ ଆସିଥିଲା। ଏହି ଯାଞ୍ଚ ସମୟରେ ଶନିବାର ସକାଳେ ପୁଲିସ ଦୀପା ରାଏ ଅଞ୍ଚଳରେ ଏକ ପୁରୁଣାମନ୍ଦିର ଥିବା ଦେଖିବାକୁ ପାଇଥିଲା।
କୁହାଯାଉଛି ଯେ ୧୯୭୮ ମସିହାରେ ସାମ୍ପ୍ରଦାୟିକ ବିବାଦ ପରେ ଏହି ମନ୍ଦିର ବନ୍ଦ ହୋଇଯାଇଥିଲା। ଯେତେବେଳେ ପୁଲିସ କର୍ମଚାରୀମାନେ ମନ୍ଦିରର ଭିତର ସଫା କରିଥିଲେ, ମନ୍ଦିରର ଗର୍ଭ ଗୃହରେ ଶିବଲିଙ୍ଗ ଏବଂ ହନୁମାନଙ୍କ ମୂର୍ତ୍ତି ରହିଥିବା ଦେଖିବାକୁ ମିଳିଥିଲା। ଜଣେ ପୂଜକଙ୍କ କହିବା ଅନୁଯାୟୀ ଏହି ମନ୍ଦିରରେ ପୂଜା କରିବା ପାଇଁ କାହାର ସାହସ ନଥିଲା। ପୂଜକମାନେ ନିଜ ନିଜର ଘର ବିକ୍ରି କରି ମନ୍ଦିର ବନ୍ଦ କରି ଚାଲିଯାଇଥିଲେ।
ଅନ୍ୟପଟେ ପୁଲିସ ଅଧିକ୍ଷକ କହିଛନ୍ତି ଯେ ଶନିବାର ସକାଳେ ସମ୍ଭଲରେ ଲାଉଡ ସ୍ପିକର ଯାଞ୍ଚ କରାଯାଉଥିବାବେଳେ ବେଆଇନ ବିଦ୍ୟୁତ ସଂଯୋଗ ମାଧ୍ୟମରେ ସମଗ୍ର ଅଞ୍ଚଳକୁ ବିଦ୍ୟୁତ ଯୋଗାଣ କରାଯାଉଥିବା ଜଣାପଡିଥିଲା। ଯେତେବେଳେ ବିଦ୍ୟୁତ୍ ବିଭାଗ ଯାଞ୍ଚ କଲେ, ସେଠାରେ ଶତାଧିକ ବେଆଇନ ସଂଯୋଗ ଥିବା ଜାଣିବାକୁ ପାଇଥିଲେ।
Powered by Froala Editor