ଓଡ଼ିଶାରେ 'ସାବରମତୀ ରିପୋର୍ଟ' ଟିକସମୁକ୍ତ
'ସାବରମତୀ ରିପୋର୍ଟ'କୁ ଓଡ଼ିଶାରେ ଟିକସମୁକ୍ତ କରିବା ପାଇଁ ରାଜ୍ୟ ସରକାର ନିଷ୍ପତ୍ତି ନେଇଛନ୍ତି। ଏନେଇ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ସାମାଜିକ ଗଣମାଧ୍ୟମ ‘ଏକ୍ସ’ ଜରିଆରେ ସୂଚନା ଦେଇଛନ୍ତି। ମୁଖ୍ୟମନ୍ତ୍ରୀ କହିଛନ୍ତି, ଚଳଚ୍ଚିତ୍ର ‘ସାବରମତୀ ରିପୋର୍ଟ’ ସତ୍ୟ ଘଟଣା ଉପରେ ଆଧାରିତ ହୋଇଛି। କିଛି ସ୍ଵାର୍ଥବାଦୀ ବ୍ୟକ୍ତିଙ୍କ ନିଜସ୍ୱ ସ୍ଵାର୍ଥ ପୂରଣ ଏବଂ ଅସ୍ଥିରତା ସୃଷ୍ଟି ପାଇଁ ଗୋଧ୍ରା ଅଗ୍ନିକାଣ୍ଡରେ କିଭଳି ଭାବରେ କାରସେବକଙ୍କୁ ଜୀବନ୍ତ ଦଗ୍ଧ କରାଯାଇଥିଲା ତାହା ଏହି ଚଳଚ୍ଚିତ୍ର ମାଧ୍ୟମରେ ଦର୍ଶାଯାଇଛି।
ଏହି ସିନେମାକୁ ଟିକସମୁକ୍ତ ଘୋଷଣା କରିବାରେ ଓଡ଼ିଶା ହେଉଛି ଦେଶର ସପ୍ତମ ବିଜେପି ଶାସିତ ରାଜ୍ୟ। ରାଜ୍ୟ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗର ପ୍ରମୁଖ ସଚିବ ବିଷ୍ଣୁପଦ ସେଠୀଙ୍କ ପକ୍ଷରୁ ଜାରି ବିଜ୍ଞପ୍ତିରେ କୁହାଯାଇଛି, “ସତ୍ୟଘଟଣା ଉପରେ ଆଧାରିତ ହିନ୍ଦି ଚଳଚ୍ଚିତ୍ର ‘ଦି ସାବରମତୀ ରିପୋର୍ଟ’ ଯାହାକି ୨୦୦୨ ଫେବୃଆରୀ ୨୭ତାରିଖର ଗୋଧ୍ରା ରେଳପୋଡ଼ି ଘଟଣା ଉପରେ ପର୍ଯ୍ୟବେସିତ। ଏହି ମର୍ମନ୍ତୁଦ ଘଟଣା ଉପରେ ଆଧାରିତ ଚଳଚ୍ଚିତ୍ରଟି ଏବେ ଓଡ଼ିଶାରେ ପ୍ରଦର୍ଶିତ ହେଉଛି। ଏହି ଚଳଚ୍ଚିତତ୍ରର ଗୁଣାତ୍ମକ ତଥା ଭାବାତ୍ମକ କାହାଣୀ ଦୃଷ୍ଟିରୁ ଚଳଚ୍ଚିତ୍ରଟିକୁ ଅଧିକ ଲୋକ ଦେଖିବା ଆବଶ୍ୟକ। ମୁଖ୍ୟମନ୍ତ୍ରୀଙ୍କ ଆଦେଶରେ ଏହି ଚଳଚ୍ଚିତ୍ରଟିକୁ ଓଡ଼ିଶାରେ କରମୁକ୍ତ କରାଗଲା।”
ରାଜ୍ୟ ସରକାର ’ସାବରମତୀ ରିପୋର୍ଟ’କୁ ଓଡ଼ିଶାରେ ଟିକସମୁକ୍ତ କରିବା ପରେ ଚଳଚ୍ଚିତ୍ର ପ୍ରଯୋଜିକା ତଥା ବାଲାଜୀ ଟେଲିଫିଲ୍ମର କ୍ରିଏଟିଭ୍ ନିର୍ଦ୍ଦେଶକ ଏକତା ଆର କପୁର ଧନ୍ୟବାଦ ଜଣାଇଛନ୍ତି। ସାମାଜିକ ଗଣମାଧ୍ୟମ ‘ଏକ୍ସ’ ଜରିଆର ସେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କୁ ଶୁଭେଚ୍ଛା ଓ ଅଭିନନ୍ଦନ ଜଣାଇଛନ୍ତି।
Powered by Froala Editor