ବିବାହର ୧୮ ବର୍ଷ ପରେ ବିବାଦ : ଶ୍ୱଶୂର ଘର ଆଗରେ ଯୌତୁକ ଜିନିଷ ଜାଳିଦେଲା ଜ୍ୱାଇଁ

ଜଣେ ଗ୍ରାମରକ୍ଷୀଙ୍କ ପୁଅ ସ୍ତ୍ରୀଙ୍କୁ ପ୍ରାୟ ୧୮ ବର୍ଷ ଧରି ଯୌତୁକ ନିର୍ଯାତନା ଦେଇଆସୁଥିବା ଅଭିଯୋଗ ହୋଇଛି। ୧୮ ବର୍ଷ ତଳେ ଦଶପଲ୍ଲା ଥାନା ବୁରୁସାହି ଗାଁର ବିଜୟ ନାୟକ ନେଳିଗୁଡ଼ା ଗ୍ରାମର ମମତା ନାୟକଙ୍କୁ ବିବାହ କରିଥିଲେ। ବାହାଘର ପରେ ପରିବାର ଠିକ୍ଠାକ୍ ଚାଲିଥିଲେ। ବିଜୟ ଯାହା ରୋଜଗାର କରୁଥିଲେ, ସେଥିରେ ସଂସାର ଚଳୁଥିଲା । ଦୁଇ ପିଲାର ବାପା-ମାଆ ହୋଇଥିଲେ ବିଜୟ ଓ ମମତା। ହେଲେ ହଠାତ୍ କ’ଣ ହେଲା କେଜାଣି ପରିବାରିକ ସଂସାରରେ ଉଠିଲା ଅଶାନ୍ତିର ଝଡ଼।
ଗତ ପ୍ରାୟ ୫ ଦିନ ତଳେ ସ୍ତ୍ରୀଙ୍କୁ ଜୀବନରୁ ମାରିଦେବାକୁ ଉଦ୍ୟମ ସମୟରେ ସେ ବାପ ଘରକୁ ଖସି ପଳାଇ ଆସିଥିଲେ। ମାତ୍ର ସୋମବାର ବିଜୟ ତାଙ୍କ ମା’ଙ୍କ ସହ ମିଶି ଏକ ଗାଡ଼ିରେ ଆସି ପାଇଥିବା ଯୌତୁକ ସାମଗ୍ରୀକୁ ଆଣି ଶ୍ବଶୁର ଘର ଆଗରେ ପେଟ୍ରୋଲ ଢାଳି ନିଆଁ ଲଗାଇ ଦେଇଥିଲେ।
ରାସ୍ତାକଡ଼ରେ ଯୌତୁକ ସାମଗ୍ରୀ ହୁତୁହୁତୁ ହୋଇ ଜଳୁଥିବା ବେଳେ ସ୍ତ୍ରୀଙ୍କୁ ପେଟ୍ରୋଲ ଢାଳି ନିଆଁ ଲଗାଇବାକୁ ଖୋଜିଥିଲେ। ମାତ୍ର ସ୍ଥାନୀୟ କିଛି ଲୋକେ ବିରୋଧ କରିବାରୁ ସେ ତାଙ୍କ ମା’ଙ୍କ ସହିତ ଓଡ଼ି ୨୫ ଏଲ୍ ୧୭୭୯ ବାଇକକୁ ଛାଡ଼ି ଘଟଣାସ୍ଥଳରୁ ଛୁ ମାରିଥିଲେ। ନ୍ୟାୟ ପାଇଁ ସ୍ତ୍ରୀ ଥାନାର ଦ୍ବାରସ୍ଥ ହୋଇଥିବା ବେଳେ ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଚଳାଇଛି।
Powered by Froala Editor