ଏକଜିଟ ପୋଲ : ଏନଡିଏ ଆଗୁଆ, ଇଣ୍ଡିଆ ମେଣ୍ଟ ହେବ ଗାଦିଚ୍ୟୁତ
ମହାରାଷ୍ଟ୍ର ଓ ଝାଡ଼ଖଣ୍ଡର ସମସ୍ତ ବିଧାନସଭା ଆସନ ପାଇଁ ଭୋଟ ଶେଷ ହୋଇଛି। ଇଭିଏମ ସିଲ ହେବା ପରେ ବିଭିନ୍ନ ସଂସ୍ଥା ପକ୍ଷରୁ ଏକଜିଟ ପୋଲ ରେଜଲ୍ଟ ପ୍ରକାଶ କରାଯାଇଛି। ଏନଡିଏ ଆଗୁଆ ରହିଥିବାବେଳେ ଇଣ୍ଡିଆ ମେଣ୍ଟକୁ ବଡ଼ ଝଟ୍କା ଲାଗିବ ବୋଲି ଏକ୍ଜିଟ୍ ପୋଲ୍ରେ ଦର୍ଶାଯାଇଛି।
ଝାରଖଣ୍ଡର ମୋଟ ୮୧ଟି ବିଧାନସଭା ଆସନ ମଧ୍ୟରୁ ସରକାର ଗଠନ ପାଇଁ ଆବଶ୍ୟକ ମ୍ୟାଜିକ ନମ୍ବର ହେଉଛି ୪୧। ଚୂଡ଼ାନ୍ତ ଫଳାଫଳ ଆସନ୍ତା ୨୩ ତାରିଖରେ ପ୍ରକାଶ ପାଇବ। କିନ୍ତୁ ଏହା ପୂର୍ବରୁ ଏକଜିଟ ପୋଲ ରେଜଲ୍ଟ ସାମ୍ନାକୁ ଆସିଛି।
ବର୍ତ୍ତମାନ ଝାରଖଣ୍ଡରେ ଜେଏମଏମ ଓ କଂଗ୍ରେସ କ୍ଷମତାରେ ରହିଛନ୍ତି। ଅଧିକାଂଶ ଏକଜିଟ ପୋଲର କହିବା କଥା ଯେ ଜେଏମଏମ, କଂଗ୍ରେସ ଓ ଅନ୍ୟ ଦଳକୁ ନେଇ ଗଠନ ହୋଇଥିବା ଇଣ୍ଡିଆ ମେଣ୍ଟ ଝାରଖଣ୍ଡରେ ଗାଦିଚ୍ୟୁତ ହେବେ।
ବିଭିନ୍ନ ଏକ୍ଜିଟ୍ ପୋଲ୍ର ଆକଳନ ଅନୁସାରେ ମହାରାଷ୍ଟ୍ରରେ ବିଜେପି ନେତୃତ୍ୱାଧୀନ ଏନଡିଏର ସହଯୋଗୀ ମହାୟୁତି ପୁଣି ସରକାର ଗଠନ କରିବ। ସେହିପରି ଝାଡ଼ଖଣ୍ଡରେ ବିଜେପି ମେଣ୍ଟ ସଫଳତା ହାସଲ କରିବ।
ମହାରାଷ୍ଟ୍ରର ୨୮୮ ବିଧାନସଭା ଆସନ ମଧ୍ୟରୁ ସରକାର ଗଠନ ପାଇଁ ଆବଶ୍ୟକ ମ୍ୟାଜିକ ନମ୍ବର ହେଉଛି ୧୪୫। ଏକ୍ଜିଟ୍ ପୋଲ୍ରେ କୁହାଯାଇଛି ଯେ ବିଜେପି ମେଣ୍ଟ ମହାରାଷ୍ଟ୍ରରେ ୧୫୦-୧୭୦ଟି ଆସନ ଜିତିବ। ସେହିପରି କଂଗ୍ରେସ, ଉଦ୍ଧବ ଠାକରେଙ୍କ ଶିବସେନା ଓ ଶରଦ ପାୱାରଙ୍କ ଏନସିପି ମିଳିତ ଭାବେ ଗଠନ କରିଥିବା ମହା ବିକାଶ ଅଘାଡ଼ି ୧୧୦ରୁ ୧୩୦ ଓ ଅନ୍ୟାନ୍ୟ ଦଳ ୮ରୁ ୧୦ଟି ଆସନ ଜିତିବେ।
ପି-ଏମଆରକ୍ୟୁ ଏକ୍ଜିଟ୍ ପୋଲ୍ରେ କୁହାଯାଇଛି ଯେ ବିଜେପି ମେଣ୍ଟ ୧୩୭ରୁ ୧୫୭, ଏମଭିଏ ୧୨୬ରୁ ୧୪୬ ଓ ଅନ୍ୟାନ୍ୟ ଦଳ ୨ରୁ ୮ ଆସନ ଜିତିବେ।
ପିପୁଲ୍ସ ପ୍ଲସର ଆକଳନ କହୁଛି, ବିଜେପି ମେଣ୍ଟ ୪୪ରୁ ୫୩, ଇଣ୍ଡିଆ ୨୫ରୁ ୩୭ ଓ ଅନ୍ୟାନ୍ୟ ଦଳ ୫ରୁ ୯ ଆସନ ଜିତିବେ।
ଟାଇମ୍ସ ନାଓଁ-ଜେଭିସି ପକ୍ଷରୁ ହୋଇଥିବା ସର୍ଭେରେ ବିଜେପି ମେଣ୍ଟ ୪୦ରୁ ୪୪, ଇଣ୍ତିଆ ୩୦ରୁ ୪୦ ଓ ଅନ୍ୟାନ୍ୟ ଦଳ ୧ରୁ ୨ଟି ଆସନ ଜିତି ପାରନ୍ତି ବୋଲି କୁହାଯାଇଛି।
ଚାଣକ୍ୟ ଷ୍ଟ୍ରାଟେଟିଜ୍ ଏକ୍ଜିଟ୍ ପୋଲ୍ରେ କୁହାଯାଇଛି ମହାରାଷ୍ଟ୍ରରେ ମହାୟୁତି ସରକାରକୁ ଫେରିବ। ଭାଜପା ସହଯୋଗୀ ଦଳ ୧୫୨ ରୁ ୧୬୦ ଆସନ ପାଇବେ। କଂଗ୍ରେସ ମିଳିତ ଇଣ୍ଡିଆ ମେଣ୍ଟ ୧୩୦ ରୁ ୧୩୮ ଆସନ ପାଇବ।
କିନ୍ତୁ ଆକ୍ସିସ ମାଇଁ ଇଣ୍ଡିଆ କହିଛି ଯେ ଝାରଖଣ୍ଡରେ ଇଣ୍ଡିଆ ମେଣ୍ଟର ବଡ଼ ବିଜୟ ହେବ। ରାଜ୍ୟରେ ଇଣ୍ଡିଆ ମେଣ୍ଟ ୫୩ଟି ଆସନ ଜିତିବାକୁ ଯାଉଥିବା ବେଳେ ବିଜେପି ମେଣ୍ଟ ୨୫ ଓ ଅନ୍ୟାନ୍ୟ ଦଳ ଖାତାକୁ ୩ଟି ଆସନ ଯିବ।
Powered by Froala Editor