ଝିଅକୁ ହତ୍ୟା ଧମକ ଦେଇ ମା’କୁ ବଳାତ୍କାର
ଜଗତସିଂହପୁରରେ ଲଜ୍ଜାକର ଘଟଣା ସାମ୍ନାକୁ ଆସିଛି । ଚାରି ବର୍ଷର ଶିଶୁକନ୍ୟାକୁ ମୁଣ୍ଡ ଜାମିନ୍ ରଖି ମା’ଙ୍କୁ ବଳାତ୍କାର କରିଛି ଜଣେ ଯୁବକ । ଅଭିଯୁକ୍ତ ଯୁବକ ଜଣକ ମାଧପୁର ଅଞ୍ଚଳର ପ୍ରକାଶ କୁମାର ଧଡ଼ା । ସାହାଯ୍ୟ କରିବା ବାହାନାରେ ପ୍ରଥମେ ସେ ମହିଳାଙ୍କୁ ଫସାଇଥିଲା । ତାପରେ ନଜରବନ୍ଦୀ ରଖି ଶିଶୁକନ୍ୟାକୁ ହତ୍ୟା କରିବାକୁ ଧମକ ଦେଇଥିଲା । ପ୍ରାୟ ୨୦ ଦିନ ଏଭଳି କରିବା ଭିତରେ ମହିଳା ଜଣକ ସୁଯୋଗ ଦେଖି ଖସି ଆସିଛନ୍ତି । ପୁଲିସରେ ଏତଲା ଦେବା ପରେ ଅଭିଯୁକ୍ତ ପ୍ରକାଶକୁ କୋର୍ଟଚାଲାଣ କରାଯାଇଛି ।
ସୂଚନା ମୁତାବକ, ମହିଳାଙ୍କ ଶାଶୂଘର କେନ୍ଦ୍ରାପଡ଼ାରେ । ବାପଘର ଜଗତସିଂହପୁରରେ । ଝିଅ, ସ୍ୱାମୀଙ୍କ ସହ ଜଗତସିଂହପୁର ସହରରେ ସେ ଭଡ଼ା ଘର ନେଇ ରହୁଛନ୍ତି । ସୋଂରେ ରହିବା ଭିତରେ ମହିଳାଙ୍କ ପ୍ରକାଶ ଧଡ଼ାଙ୍କ ସହ ବନ୍ଧୁତା ହୋଇଥିଲା । ନିକଟରେ ମହିଳାଙ୍କ ସ୍ୱାମୀଙ୍କ ସ୍ଥାସ୍ଥ୍ୟାବସ୍ଥା ବିଗିଡ଼ିଯିବାରୁ ତାଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା । ଡାକ୍ତରଖାନାରେ ପ୍ରକାଶ ପହଞ୍ଚି ଅନେକ ସହଯୋଗ କରିଥିଲା ।
ଗୋଟିଏ ଦିନ ଜଳଖିଆ ଖାଇବାକୁ ଡାକ୍ତରଖାନାରୁ ସଂପୃକ୍ତ ମହିଳାଙ୍କୁ ସେ ଡାକି ନେଇଥିଲା । ମହିଳାଙ୍କ ସହ ତାଙ୍କ ୪ ବର୍ଷର କନ୍ୟା ସନ୍ତାନ ବି ଥିଲା । ତେବେ ଜଳଖିଆ ଖାଇବା ବଦଳରେ ମହିଳା ଓ ଝିଅକୁ ବାଇକ୍ରେ ବସାଇ ପ୍ରକାଶ ଡେଙ୍ଗାପୋଲକୁ ଚାଲି ଆସିଥିଲା । ଡେଙ୍ଗାପୋଲ ଅଞ୍ଚଳରେ ଥିବା ଜଣେ ସଂପର୍କୀୟଙ୍କ ଘରେ ମହିଳାଙ୍କୁ ଅଟକାଇ ରଖି ବଳା+ାର କରିଥିଲା ।
ପ୍ରାୟ ୨୦ ଦିନ ସେଠାରେ ଉଭୟ ମା’-ଝିଅଙ୍କୁ ନଜରବନ୍ଦୀ କରି ରଖିଥିଲା । ସେଠାରୁ କୌଶଳକ୍ରମେ ଖସି ଆସି ମହିଳା ଜଣକ କଟକ ସ୍ଥିତ ବୟାଳିଶମୌଜା ଅଞ୍ଚଳରେ ରହୁଥିବା ଭାଇଙ୍କ ପାଖକୁ ଆସିଥିଲେ । ଅନ୍ୟପଟେ ସ୍ୱାମୀ ମଧ୍ୟ ଜଗତସିଂହପୁର ଥାନାରେ ପତ୍ନୀଙ୍କ ନିଖୋଜ ଅଭିଯୋଗ କରିଥିଲେ ।
ପୀଡ଼ିତାଙ୍କ ପକ୍ଷରୁ ୪ ତାରିଖରେ ଜଗତସିଂହପୁର ଥାନାରେ ବଳା+ାର ଅଭିଯୋଗ କରାଯିବା ପରେ ପ୍ରକାଶକୁ ଗିରଫ କରାଯାଇଛି । ଏ ବାବଦରେ ପ୍ରକାଶ ପରିବାର ଲୋକ ଭିନ୍ନ କଥା କହିଛନ୍ତି । ତାଙ୍କୁ ମହିଳା ଜଣକ ଫସାଇ ଦେଇଛନ୍ତି ବୋଲି ସେମାନେ କହିଛନ୍ତି ।
Powered by Froala Editor