ମିଥୁନଙ୍କ ପୂର୍ବତନ ପତ୍ନୀ ହେଲେନା ଲ୍ୟୁକଙ୍କ ଦେହାନ୍ତ, ‘ମର୍ଦ’ ଫିଲ୍ମରେ ଅମିତାଭଙ୍କ ସହ କରିଛନ୍ତି କାମ
ଆମେରିକାରେ ରହୁଥିବା ବଲିଉଡ ଅଭିନେତ୍ରୀ ହେଲେନା ଲ୍ୟୁକଙ୍କ ୩ ତାରିଖ ବିଳମ୍ବିତ ରାତି ଦେହାନ୍ତ ହୋଇଛି। ହେଲେନା ମିଥୁନ ଚକ୍ରବର୍ତ୍ତୀଙ୍କ ପୂର୍ବତନ ପତ୍ନୀ । ତାଙ୍କ ନିଧନ ଖବର ଡ୍ୟାନ୍ସର ତଥା ଅଭିନେତ୍ରୀ କଳ୍ପନା ଅୟର ସୋସିଆଲ ମିଡିଆରେ ସେୟାର କରିଛନ୍ତି ।
ମିଥୁନ ଚକ୍ରବର୍ତ୍ତୀ ଓ ହେଲେନାଙ୍କ ବିବାହ ୧୯୭୯ରେ ହୋଇଥିଲା । ଉଭୟ ପ୍ରେମ ବିବାହ କରିଥିଲେ । କିନ୍ତୁ ଏହି ସମ୍ପର୍କ ବେଶୀ ଦିନ ଧରି ତିଷ୍ଠିପାରି ନ ଥିଲା । ବିବାହର ମାତ୍ର ୪ ମାସ ପରେ ଉଭୟଙ୍କର ଛାଡ଼ପତ୍ର ହୋଇଥିଲା ଏବଂ ଦୁହେଁ ଅଲଗା ହୋଇଯାଇଥିଲେ । ଲମ୍ବା ସମୟ ଧରି ହେଲେନା ଲ୍ୟୁକ ବିଦେଶରେ ହିଁ ରହିଆସୁଥିଲେ ।
ହେଲେନା 'ଆଓଁ ପ୍ୟାର କରେଁ', 'ଦୋ ଗୁଲାବ' ଏବଂ 'ସାଥ ସାଥ' ଭଳି ଚଳଚ୍ଚିତ୍ରରେ ଅଭିନୟ କରିଥିଲେ । ୧୯୮୫ରେ ରିଲିଜ୍ ହୋଇଥିବା ଅମିତାଭ ବଚ୍ଚନଙ୍କ ଅଭିନୀତ ଫିଲ୍ମ 'ମର୍ଦ'ରେ ହେଲେନା ଗୁରୁତ୍ୱପୂର୍ଣ୍ଣ ଭୂମିକାରେ ନଜର ଆସିଥିଲେ । ଏହି ଚଳଚ୍ଚିତ୍ରରେ ବ୍ରିଟିଶ ରାଣୀ ଭୂମିକାରେ ଅଭିନୟ କରି ହେଲେନା ଖୁବ ଲୋକପ୍ରିୟତା ସାଉଁଟିଥିଲେ। ଏହି ଫିଲ୍ମରେ ନିଜର ସୌନ୍ଦର୍ଯ୍ୟ ଦ୍ୱାରା ଅଭିନେତ୍ରୀ ସମସ୍ତଙ୍କ ହୃଦୟ ଜିତିଥିଲେ । ଯଦିଓ ପରେ ସେ ଅଭିନୟ ଦୁନିଆକୁ ଅଲବିଦା କହି ଫ୍ଲାଇଟ୍ ଆଟେଣ୍ଡାଣ୍ଟ ରୂପେ କାମ ଆରମ୍ଭ କରିଥିଲେ ।
ହେଲେନାଙ୍କ ନିଧନ ପରେ ତାଙ୍କର ଶେଷ ପୋଷ୍ଟ ସୋସିଆଲ ମିଡିଆରେ ଭାଇରାଲ ହେଉଛି । ମୃତ୍ୟୁର ୨ ଦିନ ପୂର୍ବରୁ ସେ ଏହାକୁ ପୋଷ୍ଟ କରିଥିଲେ । କୁହାଯାଉଛି ଯେ କିଛି ଦିନ ହେବ ହେଲେନାଙ୍କ ସ୍ୱାସ୍ଥ୍ୟାବସ୍ଥା ଠିକ୍ ନ ଥିଲା ଏବଂ ସେ ଚିକିତ୍ସା ପାଇଁ ଡାକ୍ତରଙ୍କ ପାଖକୁ ଯାଇ ନ ଥିଲେ । ଏବେ ଆମେରିକାରେ ସେ ଆଖି ବୁଜିଛନ୍ତି ।
Powered by Froala Editor