ରାଜସ୍ୱ ବିଭାଗରେ ଲଗାମ୍: ଅଧିକାରୀଙ୍କ ଦକ୍ଷତାର ମୂଲ୍ୟାଙ୍କନ କରିବେ ଜନତା, ୧୫ ଦିନରେ କାର୍ଯ୍ୟାନୁଷ୍ଠାନ
ରାଜସ୍ୱ ବିଭାଗରେ ଅବହେଳା କଲେ ଆଉ ତ୍ରାହି ନାହିଁ। କାରଣ ଏଣିକି ଜନତା ହେବେ ପରୀକ୍ଷକ । ଅଧିକାରୀଙ୍କ ଦକ୍ଷତାର ମୂଲ୍ୟାଙ୍କନ କରିବେ ଲୋକେ । ଅଫିସରଙ୍କ କାର୍ଯ୍ୟରେ ସେମାନେ କେତେ ସନ୍ତୁଷ୍ଟ, ରେଜିଷ୍ଟରରେ ଉଲ୍ଲେଖ କରିବେ । ଯେଉଁ ଅଧିକାରୀ ବାରମ୍ବାର କମ ମାର୍କ ପାଇବେ ସେମାନଙ୍କ ସଂପର୍କେର ବିଚାର କରିବ ବିଭାଗ । ୧୫ ଦିନ ଭିତରେ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ହେବ ବୋଲି କହିଛନ୍ତି ରାଜସ୍ବ ମନ୍ତ୍ରୀ ସୁରେଶ ପୂଜାରୀ ।
ଝାରସୁଗୁଡ଼ାରେ ଏକ ଜନ ଶୁଣାଣି କାର୍ଯ୍ୟକ୍ରମରେ ଯୋଗ ଦେବା ଅବସରରେ ଏହା କହିଛନ୍ତି ରାଜସ୍ବ ମନ୍ତ୍ରୀ ସୁରେଶ ପୂଜାରୀ । ଯେଉଁ ଅଧିକାରୀ ବାରମ୍ବାର ୧୦ରୁ କମ୍ ମାର୍କ ପାଇବେ, ତାଙ୍କ ସଂପର୍କରେ ବିଭାଗ ଚିନ୍ତା କରିବ ବୋଲି ମନ୍ତ୍ରୀ କହିଛନ୍ତି।
ପୂର୍ବ ସରକାର ସମୟରେ କେବଳ କିରାଣୀ ଓ ପିଅନଙ୍କ ଭଳି ଛୋଟ ମାଛକୁ ଧରୁଥିଲା ଭିଜିଲାନ୍ସ । କିନ୍ତୁ ଏବେ ସରକାର ବଦଳିବା ପରେ ପୋଲିସ ଆଇଆଇସିଙ୍କଠାରୁ ଆରମ୍ଭ କରି ଚିଫ୍ ଇଞ୍ଜିନିୟର, ତହସିଲଦାର ଭଳି ବଡ ମାଛଙ୍କୁ ଧରାଯାଉଛି । ଏଭିତରେ ୭ ଜଣ ତହସିଲଦାରଙ୍କୁ ନିଲମ୍ବିତ କରାଗଲାଣି ବୋଲି କହିଛନ୍ତି ରାଜସ୍ବ ମନ୍ତ୍ରୀ। ଏନେଇ ସମସ୍ତ ଜିଲ୍ଲାପାଳଙ୍କୁ ଚିଠି ଲେଖି ଅବଗତ କରାଯାଇଛି ।
ଚିଠିରେ ଉଲ୍ଲେଖ ରହିଛି, ଗ୍ରାଉଣ୍ଡରେ ଥିବା କିଛି ବିଭାଗୀୟ ଅଧିକାରୀ ଲୋକଙ୍କୁ ସେବା ଦେବାରେ ଅବହେଳା କରୁଛନ୍ତି। ଅଭିଯୋଗକୁ ଗ୍ରାଉଣ୍ଡ ସ୍ତରରେ ସମାଧାନ କରୁନାହାନ୍ତି। ଯେଉଁଥିପାଇଁ ଲୋକଙ୍କୁ ଉପରସ୍ତରକୁ ଏମିତିକି ଭୁବନେଶ୍ୱର ଯାଏଁ ଆସିବାକୁ ପଡୁଛି। ଏହା ଦ୍ୱାରା ଲୋକଙ୍କ ଉପରେ ଆର୍ଥିକ ଚାପ ଓ କଷ୍ଟ ସହିବାକୁ ପଡୁଛି। ଏଣିକି ଏମିତି ଅଭିଯୋଗ ଆସିଲେ ସଂପୃକ୍ତ ଅଧିକାରୀଙ୍କ ବିରୋଧେର ୧୫ ଦିନ ଭିତରେ ଶୃଙ୍ଖଳାଗତ ପ୍ରୋସିଡିଂ ଆରମ୍ଭ ହୋଇ ଦୃଷ୍ଟାନ୍ତମୂଳକ କାର୍ଯ୍ୟାନୁଷ୍ଠାନ ହେବ ବୋଲି କୁହାଯାଇଛି।
Powered by Froala Editor