ଖେଳୁଥିବାବେଳେ ଭାସିଗଲେ ୩ ନାବାଳକ
ମୟୂରଭଞ୍ଜ ଜିଲା ସାରସକଣା ବ୍ଲକ ନୂଆଗାଁରେ ଶନିବାର ଅଘଟଣ ଘଟିଛି। ସୁବର୍ଣ୍ଣରେଖା କେନାଲରେ ବୁଡ଼ି ୩ ନାବାଳକଙ୍କ ମୃତ୍ୟୁ ଘଟିଛି। ମୃତକଙ୍କ ବୟସ ୧୨ ରୁ ୧୪ ବର୍ଷ ମଧ୍ୟରେ ହୋଇଥିବା ଜଣାପଡିଛି। ତିନି ନାବାଳକଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିବା ବେଳେ ସେଠାରେ ସେମାନଙ୍କୁ ଡାକ୍ତର ମୃତ ଘୋଷଣା କରିଛନ୍ତି। ମୃତକମାନେ ହେଲେ ମୁଣ୍ଡାକଟା ଗ୍ରାମର ଗଣେଶ୍ବର ସାହୁଙ୍କ ପୁଅ ମଦନ ମୋହନ ସାହୁ (୧୩) ସାରସକଣାର ସନ୍ତୋଷ ସାହୁଙ୍କ ପୁଅ ଶ୍ରୀୟାଂଶୁ ସାହୁ (୧୪) ଓ ସୁମନ୍ତ ସାହୁଙ୍କ ପୁଅ ସାଈସୁନ୍ଦର ସାହୁ (୧୪)।
ସୂଚନା ମୁତାବକ, ସୁବର୍ଣ୍ଣରେଖା କେନାଲ ନିକଟରେ କେତେଜଣ ପିଲା ବଲ ଖେଳୁଥିଲେ। ସେତିକିବେଳେ ବଲ୍ଟି କେନାଲରେ ପଡି ଯାଇଥିଲା। ଫଳରେ ୩ଜଣ ନାବାଳକ ବଲ୍ ଆଣିବାକୁ କେନାଲ ଭିତରକୁ ପଶିଥିଲେ। ସେତିକିବେଳେ ସେମାନେ କେନାଲ ସୁଅରେ ପଡି ଭାସି ଯାଇଥିଲେ। ସ୍ଥାନୀୟ ଲୋକେ ସେମାନଙ୍କୁ ଉଦ୍ଧାର କରି ଡାକ୍ତରଖାନାକୁ ନେଇଥିଲେ। ସେଠାରେ ଡାକ୍ତର ସେମାନଙ୍କୁ ମୃତ ଘୋଷଣା କରିଥିବା ସୂଚନା ମିଳିଛି। ଏନେଇ ଗାଁରେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଛି।
Powered by Froala Editor