ଅନ୍ଧ ନୁହଁନ୍ତି ନ୍ୟାୟର ଦେବୀ : ଆଖିରୁ କଳାପଟି, ହାତରୁ ଖଣ୍ଡା ହଟିଲା
ଭାରତୀୟ ଆଇନ ଅନ୍ଧ ବୋଲି ଯେଉଁ ଧାରଣା ଥିଲା, ତାହା ବଦଳିବ। ନ୍ୟାୟ ଦେବୀ ସମସ୍ତଙ୍କ ବିଚାର ଠିକ ଭାବେ କରନ୍ତି। କାରଣ କୋର୍ଟରେ ରହୁଥିବା ନ୍ୟାୟ ଦେବୀଙ୍କ ଆଖିରେ ଲାଗିଥିବା କଳା ପଟିକୁ ହଟାଇ ଦିଆଯାଇଛି। ହାତରେ ଖଣ୍ଡା ବଦଳରେ ଧରିଛନ୍ତି ସମ୍ବିଧାନ। ସୁପ୍ରିମକୋର୍ଟଙ୍କ ପ୍ରଧାନ ବିଚାରପତି ଜଷ୍ଟିସ୍ ଡି.ଓ୍ୱାଇ.ଚନ୍ଦ୍ରଚୂଡ଼ଙ୍କ ପରାମର୍ଶରେ ନ୍ୟାୟଦେବୀଙ୍କ ସ୍ୱରୂପକୁ ବଦଳାଇ ଦିଆଯାଇଛି। ନ୍ୟାୟ ଦେବୀଙ୍କ ଏପରି ପରବର୍ତ୍ତୀ ଷ୍ଟାଚ୍ୟୁ ସୁପ୍ରିମକୋର୍ଟର ବିଚାରପତିମାନଙ୍କ ଲାଇବ୍ରେରୀରେ ଲାଗିଛି। ଏହାର ପ୍ରଥମ ଝଲକ ପଦାକୁ ଆସିଛି।
କିଛିଦିନ ତଳେ ଭାରତ ସରକାର ଇଂରେଜ ଅମଳର ନ୍ୟାୟ ବ୍ୟବସ୍ଥାକୁ ବଦଳାଇ ଦେଇଥିଲେ। ଏବେ ନ୍ୟାୟଦେବୀଙ୍କ ସ୍ୱରୂପରେ ମଧ୍ୟ ପରିବର୍ତ୍ତନ ଅଣାଯାଇଛି। ପୂର୍ବରୁ ଥିବା ନ୍ୟାୟଦେବୀଙ୍କ ଆଖିରେ କଳା ପଟି ଦେବାର ଦୃଷ୍ଟିହୀନତା ଆଇନ ସମ୍ମୁଖରେ ସମାନତାକୁ ପ୍ରତିପାଦିତ କରିବା ପାଇଁ ଉଦ୍ଦିଷ୍ଟ ଥିଲା, ଏହାର ଅର୍ଥ ହେଉଛି ଯେ, ଅଦାଲତ ଏହା ସମ୍ମୁଖରେ ଉପସ୍ଥିତ ଥିବା ବ୍ୟକ୍ତିଙ୍କ ଧନ, ଶକ୍ତି କିମ୍ବା ଅନ୍ୟ ସ୍ଥିତିର ଚିହ୍ନ ଦେଖି ପାରିବେ ନାହିଁ, ଯେତେବେଳେ କି ଖଣ୍ଡା ଅନ୍ୟାୟକୁ ଦଣ୍ଡିତ କରିବାର କ୍ଷମତାର ପ୍ରତୀକ ଅଟେ।
ଭାରତୀୟ ନ୍ୟାୟ ଦେବୀଙ୍କୁ ନୂଆ ରୂପ ଦେବାକୁ ସୁପ୍ରିମକୋର୍ଟର ପ୍ରଧାନ ବିଚାରପତି ଜଷ୍ଟିସ୍ ଡିଓ୍ୱାଇ ଚନ୍ଦ୍ରଚୂଡ଼ ପରାମର୍ଶ ଦେଇଥିଲେ। ସେହି ଅନୁସାରେ ନ୍ୟାୟ ଦେବୀଙ୍କ ସ୍ୱରୂପକୁ ବଦଳା ଯାଇଛି। ପ୍ରଧାନ ବିଚାରପତିଙ୍କ ବିଚାରରେ ଖଣ୍ଡା ହେଉଛି ହିଂସାର ପ୍ରତୀକ। କିନ୍ତୁ ଅଦାଲତଙ୍କ କାର୍ଯ୍ୟ ହିଂସାତ୍ମକ ନୁହେଁ।
Powered by Froala Editor