ଦ୍ୱନ୍ଦ୍ୱରେ ହବିଷ୍ୟାଳି : ୧୭ରେ ନା ୧୮ରେ କାର୍ତ୍ତିକ ବ୍ରତ?
ଏବର୍ଷ କାର୍ତ୍ତିକ ବ୍ରତକୁ ନେଇ ଦ୍ୱନ୍ଦ୍ୱରେ ପଡିଛନ୍ତି ହବିଷ୍ୟାଳି । ଭିନ୍ନ ଭିନ୍ନ ପାଞ୍ଜି ଓ କ୍ୟାଲେଣ୍ଡରରେ କାର୍ତ୍ତିକ ବ୍ରତ ଆରମ୍ଭର ଦିନ ଅଲଗା ଦର୍ଶାଯାଇ ଥିବାରୁ ଏହାକୁ ନେଇ ଦ୍ୱନ୍ଦ୍ୱ ଉପୁଜିଛି । କିଛି ପାଞ୍ଜି ଓ କ୍ୟାଲେଣ୍ଡରରେ ଗଜଲକ୍ଷ୍ମୀ ପୂଜା ଓ କୁମାର ଉତ୍ସବ ୧୬ ତାରିଖ ପଡ଼ୁଥିବା ବେଳେ ଏହା ପରଦିନ ପୂର୍ଣ୍ଣିମା ଓ ୧୮ ତାରିଖରୁ କାର୍ତ୍ତିକ ବ୍ରତ ଆରମ୍ଭ ବୋଲି ଲେଖା ହୋଇଛି । ଆଉ କିଛି ପାଞ୍ଜିରେ ୧୭ ତାରିଖରୁ କାର୍ତ୍ତିକ ବ୍ରତ ଆରମ୍ଭ ବୋଲି ଲେଖା ରହିଛି ।
ଶ୍ରୀମନ୍ଦିର ମୁକ୍ତି ମଣ୍ଡପ ଅନୁମୋଦିତ କୋହିନୂର ପଞ୍ଜିକାରେ ୧୮ ତାରିଖରେ କାର୍ତ୍ତିକ ବ୍ରତ ଆରମ୍ଭ ବୋଲି ଉଲ୍ଲେଖ କରାଯାଇଥିବା ବେଳେ ରାଧାରମଣ ପଞ୍ଜିକାରେ ୧୭ ତାରିଖ ଗର୍ଭଣା ସଂକ୍ରାନ୍ତି ଦିନ କାର୍ତ୍ତିକ ବ୍ରତ ଆରମ୍ଭ ବୋଲି ଉଲ୍ଲେଖ ରହିଛି । ୧୭ରେ ଶ୍ରୀମନ୍ଦିରରେ କୁମାର ପୂର୍ଣ୍ଣମୀ ଏବଂ କାର୍ତ୍ତିକ ବ୍ରତ ୧୮ ତାରିଖରୁ ଆରମ୍ଭ ନେଇ ଅସଲି ଖଡ଼ିରତ୍ନ ପଞ୍ଜିକା ଓ କୋହିନୂରରେ ରହିଛି ।
ସାଧାରଣତଃ କୁମାର ପୂର୍ଣ୍ଣିମା ପର ଦିନଠାରୁ କାର୍ତ୍ତିକ ବ୍ରତ ଆରମ୍ଭ ହୋଇଥାଏ । କୁମାର ପୂର୍ଣ୍ଣିମା ନେଇ ପାଞ୍ଜି ଓ କ୍ୟାଲେଣ୍ଡରରେ ଉଲ୍ଲେଖ କରାଯାଇଥିବା ତାରିଖ ଏବଂ ଶ୍ରୀମନ୍ଦିରରେ ପାଳନ ହେଉଥିବା କୁମାର ପୂର୍ଣ୍ଣିମା ତାରିଖ ଭିନ୍ନ ରହୁଥିବାରୁ ତାହାକୁ ନେଇ ଏହି ପ୍ରକାର ଦ୍ୱନ୍ଦ୍ୱ ଦେଖା ଦେଇଛି ।
ଏନେଇ ଶ୍ରୀମନ୍ଦିର ନୀତି ପ୍ରଶାସକ କହିଛନ୍ତି, ଆଶ୍ୱିନ ମାସ ଶୁକ୍ଳ ପକ୍ଷ ଏକାଦଶୀରୁ ଶ୍ରୀମନ୍ଦିରରେ ଠାକୁରଙ୍କ କାର୍ତ୍ତିକ ବାଳଧୂପ ନୀତି ଆରମ୍ଭ ହୋଇସାରିଛି । ୧୭ ତାରିଖରେ ଶ୍ରୀମନ୍ଦିରରେ କୁମାର ପୂର୍ଣ୍ଣିମା ନୀତି ହେବ ଓ ଶ୍ରୀସୁଦର୍ଶନ ଚାରି ଆଶ୍ରମକୁ ବିଜେ କରିବେ । ୧୮ ତାରିଖରୁ ହବିଷ୍ୟାଳି ଶ୍ରୀକ୍ଷେତ୍ରରେ ରହଣି ଓ ବ୍ରତ ପାଳନ ନିମନ୍ତେ ପ୍ରଶାସନ ବ୍ୟବସ୍ଥା କରିଛି । ଏହି ଦିନ ହବିଷ୍ୟାଳିମାନେ ବ୍ରାହ୍ମଣଙ୍କୁ ଗୁଆ ଟେକି ସଂକଳ୍ପ କରିବା ପରେ କାର୍ତ୍ତିକ ବ୍ରତ ଆରମ୍ଭ କରିବେ ବୋଲି କହିଛନ୍ତି ।
Powered by Froala Editor