ପ୍ରବୀଣ ଡବାସ ଦୁର୍ଘଟଣାର ଶିକାର
ଫିଲ୍ମ 'ଖୋସଲା କା ଘୋଷଲା' ଆକ୍ଟର ତଥା ନିର୍ଦ୍ଦେଶକ ପ୍ରବୀଣ ଡବାସ ଦୁର୍ଘଟଣାର ଶିକାର ହୋଇଛନ୍ତି। ବର୍ତ୍ତମାନ ସେ ବାନ୍ଦ୍ରାର ଏକ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି। ତାଙ୍କୁ ICUରେ ଭର୍ତ୍ତି କରାଯାଇଛି। ହସ୍ପିଟାଲରେ ପ୍ରବୀଣଙ୍କ ସହିତ ତାଙ୍କ ପତ୍ନୀ ତଥା ବଲିଉଡ ଅଭିନେତ୍ରୀ ପ୍ରିତି ଝଙ୍ଗିୟାନୀ ଅଛନ୍ତି।
ସୂଚନା ଅନୁସାରେ, ମୁମ୍ବାଇରେ ପ୍ରବୀଣଙ୍କ କାର୍ ନେଇ ଯାଉଥିବା ବେଳେ ଦୁର୍ଘଟଣାର ଶିକାର ହୋଇଥିଲେ। ସ୍ଥାନୀୟ ଲୋକେ ତାଙ୍କୁ ଉଦ୍ଧାର କରି ବାନ୍ଦ୍ରା ସ୍ଥିତ ହୋଲି ଫ୍ୟାମିଲି ହସ୍ପିଟାଲରେ ଭର୍ତ୍ତି କରାଇଥିଲେ। ସେଠାରେ ତାଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଗୁରୁତର ଥିବା କୁହାଯାଉଛି।
ପ୍ରବୀଣ ଆର୍ମ ରେସ୍ଲିଂ ‘ପ୍ରୋ ପଞ୍ଜା ଲିଗ୍’ର କୋ-ଫାଉଣ୍ଡର। ପ୍ରୋ ପଞ୍ଜା ଲିଗ ଏକ ବୟାନରେ କହିଛି ଯେ ଆମକୁ ଏହା ଜଣାଇବାକୁ ଦୁଃଖ ଲାଗୁଛି ଯେ ପ୍ରୋ ପଞ୍ଜା ଲିଗର ସହ ସଂସ୍ଥାପକ ପ୍ରବୀଣ ଡବାସ ହସ୍ପିଟାଲରେ ଆଡମିଟ ଅଛନ୍ତି। ଶନିବାର ସକାଳେ ଦୁର୍ଭାଗ୍ୟପୂର୍ଣ୍ଣ କାର ଦୁର୍ଘଟଣା ପରେ ତାଙ୍କୁ ବାନ୍ଦ୍ରା ହୋଲି ଫ୍ୟାମିଲି ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଏହି କଠିନ ସମୟରେ ପ୍ରବୀଣ ଓ ତାଙ୍କ ପରିବାର ସହ ଆମର ସମ୍ବେଦନା ରହିଛି।
ପ୍ରବୀଣ ୨୦୦୮ ମସିହାରେ ବଲିଉଡ ଅଭିନେତ୍ରୀ ପ୍ରିତି ଝଂଗିୟାନୀଙ୍କୁ ବିବାହ କରିଥିଲେ। ପ୍ରିତି ଓ ପ୍ରବୀଣଙ୍କ ଦୁଇଟି ପିଲା ମଧ୍ୟ ଅଛନ୍ତି। ପ୍ରବୀଣ ଡବାସ ‘ରାଗିଣୀ ଏମଏମଏସ-୨’, ‘ମାଇ ନେମ ଇଜ ଖାନ’ ଭଳି ଫିଲ୍ମ, ‘ମେଡ ଇନ ହେଭେନ’ ଭଳି ସିରିଜରେ ମଧ୍ୟ କାମ କରିଛନ୍ତି। ନିକଟରେ ଆମାଜନ ପ୍ରାଇମରେ ରିଲିଜ ହୋଇଥିବା ‘ଶର୍ମାଜୀ କେ ବେଟି’ ଫିଲ୍ମରେ ତାଙ୍କୁ ଦେଖାଯାଇଥିଲା।
Powered by Froala Editor