କାଶୀ ବିଶ୍ୱନାଥ ଯାଉଥିବାବେଳେ ତୀର୍ଥଯାତ୍ରୀ ବସ୍କୁ ଧକ୍କା ଦେଲା ଟ୍ରକ୍, ୧୦ ଗୁରୁତର

ଭଦ୍ରକ ୧୬ ନଂ ଜାତୀୟ ରାଜପଥରେ ଚିଙ୍ଗୁଡି଼ପୁର ଛକ ନିକଟରେ ଏକ ତୀର୍ଥଯାତ୍ରୀ ବସ ଦୁର୍ଘଟଣାଗ୍ରସ୍ତ ହେବାରୁ ୧୦ ଯାତ୍ରୀ ଗୁରୁତର ହୋଇଛନ୍ତି । ଦୁର୍ଘଟଣାରେ ଟ୍ରକ ଡ୍ରାଇଭରଙ୍କ ମୃତ୍ୟୁ ଘଟିଛି । ବସ୍ଟି ପୁରୀରୁ କାଶୀ ଅଭିମୁଖେ ଯାଉଥିବାବେଳେ ବସ୍କୁ ଟ୍ରକ୍ ଧକ୍କା ଦେଇଥିଲା ବୋଲି ପ୍ରତ୍ୟକ୍ଷଦର୍ଶୀ କହିଛନ୍ତି ।
ସୂଚନା ଅନୁଯାୟୀ, ଆନ୍ଧ୍ରପ୍ରଦେଶର ଅଙ୍ଗାରୁ ଜିଲ୍ଲାରୁ ୮୦ ଜଣ ତୀର୍ଥଯାତ୍ରୀ ୨ଟି ବସରେ ୪ ଧାମ ଯାତ୍ରାରେ ବାହାରିଥିଲେ । ସେମାନେ ପୁରୀ ଜଗନ୍ନାଥ ଧାମ ଦର୍ଶନ କରିବା ପରେ କାଶୀ ବିଶ୍ୱନାଥ ଧାମ ବାହାରିଥିଲେ । ଗୋଟିଏ ବସ ପାଣିକୋଇଲି ନିକଟରେ ଆସୁଥିବାବେଳେ ଅନ୍ୟ ବସଟି ଭଦ୍ରକ ଚିଙ୍ଗୁଡ଼ିପୁର ନିକଟରେ ପହଞ୍ଚିଥିଲା । କିନ୍ତୁ ଶୁକ୍ରବାର ରାତିରେ ଗୋଟିଏ ବସକୁ ଏକ ଟ୍ରକ୍ ଧକ୍କା ଦେଇଥିଲା । ଫଳରେ ବସ ପଛରେ ବସିଥିବା ୧୦ରୁ ଊର୍ଦ୍ଧ୍ୱ ଯାତ୍ରୀ ଗୁରୁତର ହୋଇପଡ଼ିଥିଲେ ।
ଅଧିକ ରାତିରେ ଘଟଣା ଘଟିଥିବାରୁ ଉଦ୍ଧାର କାର୍ଯ୍ୟ ହୋଇପାରିନଥିଲା । ପଛରେ ଆସୁଥିବା ବସ ପହଞ୍ଚିବା ପରେ ସେଥିରେ ଥିବା ଯାତ୍ରୀ ଉଦ୍ଧାର କାର୍ଯ୍ୟରେ ସହଯୋଗ କରିଥିଲେ । ଭୋରୁ ସ୍ଥାନୀୟ ଲୋକେ ପହଞ୍ଚି ଯାତ୍ରୀଙ୍କୁ ମେଡିକାଲ ପଠାଇଥିଲେ ।
ଅନ୍ୟପଟେ ଧକ୍କା ଦେଇଥିବା ଟ୍ରକ୍ ଡ୍ରାଇଭରର ମୃତ୍ୟୁ ଘଟିଛି । ମୃତ ଡ୍ରାଇଭରଙ୍କ ପରିଚୟ ମିଳିପାରିନି । ଗାଡ଼ି ନମ୍ବର ଆଧାରରେ ମାଲିକ ସହ ଯୋଗାଯୋଗ ଚାଲିଥିବା ପୁଲିସ କହିଛି ।
Powered by Froala Editor